ଯନ୍ତ୍ରଣାରେ ଛଟପଟ ୬୫ ବର୍ଷୀୟା ମହିଳା: ମୁହଁରେ ଝୁଲି ରହିଛି ୫ କେଜିର ଟ୍ୟୁମର, ସରକାରଙ୍କ ସହାୟତାକୁ ଅପେକ୍ଷା

Published By : Prameya-News7 Bureau | July 24, 2020 IST

ଯାଜପୁର୨୪/୭:  ମୁହଁରେ ୫ କେଜିରୁ ଅଧିକ ଓଜନର ଟ୍ୟୁମର । ଅସହ୍ୟ ହେଲାଣି ଯନ୍ତ୍ରଣା । ତଥାପି ମୁକୁଳିବାକୁ ବାଟ ନାହିଁ । ଅଭାବ ଅନଟନ ସାଙ୍ଗକୁ ରୋଗ ସାଜିଛି ଦାଉ । ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ବୃଦ୍ଧାଙ୍କ ମୁହଁରେ ଲଟକି ରହିଛି ୫ କେଜିରୁ ଅଧିକ ଓଜନର ଟ୍ୟୁମର । ଯାହା ଫଳରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଯାଜପୁର କୋରାଇ ବ୍ଲକ ଅନ୍ଧାରୀ ଅଂଚଳର ୬୫ ବର୍ଷୀୟା ବିଳାସିନୀ ଜେନା । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏଭଳି ପରିସ୍ଥିତିରେ ଯନ୍ତ୍ରଣାରେ ଛଟପଟ ହୋଇ ଦିନ କାଟୁଥିବା ବିଳାସିନୀ ଏବେ ବଂଚିବାର ରାହା ଖୋଜୁଛନ୍ତି । ଚିକିତ୍ସା ପାଇଁ ସରକାରଙ୍କ ନିକଟରେ ସାହାର୍ଯ୍ୟର ଆକୁଳ ନିବେଦନ କରିଛନ୍ତି ସେ ।

ଦଇବ ସାଜିଛି ଦାଉ । ଜୀବନ ପାଲଟିଛି ଜନ୍ତ୍ରଣା । ରୋଗ ଯନ୍ତ୍ରଣାରେ ଛଟପଟ ଛଳଛଳ ଆଖିରେ ବଂଚିବାର ରାହା ଖୋଜୁଛନ୍ତି ବୃଦ୍ଧା । ଏ ହେଉଛନ୍ତି ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ଧାରୀ ଅଂଚଳରେ ରହୁଥିବା ଚୈତନ୍ୟ ଜେନାଙ୍କ ପତ୍ନୀ ବିଳାସିନୀ ଜେନା । ବୟଷ ୬୫ । ଝାଟିମାଟି ଘରେ ବୃଦ୍ଧ ସ୍ୱାମୀଙ୍କ ସହିତ ରହୁଥିବା ବିଳାସିନୀଙ୍କ ପାଇଁ ରୋଗ ସାଜିଛି ବଇରି । ମୁହଁରେ ଲଟକି ରହିଛି ୫ କେଜିରୁ ଅଧିକ ଓଜନର ଟ୍ୟୁମର । ଫଳରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେ । ଗତ କିଛି ବର୍ଷ ତଳେ ମୁହଁରେ ବାହାରିଥିବା ଛୋଟ ଟ୍ୟୁମର ଚିକିତ୍ସା ଅଭାବରୁ ଧିରେ ଧିରେ ବଡ ହେବାରେ ଲାଗିଛି । ଯାହା ଅଚଳ କରିଦେଇଛି ତାଙ୍କୁ । ସୂଚନା ଅନୁଯାୟୀ ଗତ ୧୦ ବର୍ଷ ତଳେ ବିଳାସିନୀଙ୍କ ମୁହଁରେ ଏକ ଆବୁ ବାହାରି ଅସହ୍ୟ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ସେ କଟକ ବଡ ମେଡିକାଲ ଯାଇଥିଲେ ।

ସେଠାରେ ପରିକ୍ଷା ନିରିକ୍ଷା ପରେ ଜଣାପଡିଲା ଯେ ଏହା ଟ୍ୟୁମର । ପରାମର୍ଶ ପରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର କହିଥିଲେ । ହେଲେ ହାତରେ ଟଙ୍କା ନଥିବାରୁ ଅସ୍ତ୍ରୋପଚାର ହୋଇପାରିଲା ନାହିଁ । ପରେ ଏହା ଧିରେ ଧିରେ ବଡ ହୋଇଗଲା । ବର୍ତମାନ ଏହା ୫ କେଜିରୁ ଅଧିକ ଓଜନର ହୋଇ ବିଳାସିନୀ ଙ୍କ ମୁହଁରେ ଲଟକି ରହିଛି । ଯାହା ଫଳରେ ଅସହ୍ୟ ଯନ୍ତ୍ରଣା ଭୋଗ କରିବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ । ଏମିତିକି ଖାଇବା ଓ ଶୋଇବା ବି ମୁସ୍କିଲ ହୋଇପଡିଛି । ଏବେ ସେ ବଂଚିବାର ରାହା ଖୋଜୁଛନ୍ତି । ସେପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସହାୟତା ପାଇଁ ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଇଁ ଧାଇଁ ନିରାଶ ହୋଇଛନ୍ତି । ତେଣୁ ଯଥାଶିଘ୍ର ଚିକିତ୍ସା ପାଇଁ ସରକାରଙ୍କ ନିକଟରେ ସାହାର୍ଯ୍ୟର ଆକୁଳ ନିବେଦନ କରିଛନ୍ତି ବିଳାସିନୀ ଓ ତାଙ୍କ ସ୍ୱାମୀ ।

ପୂର୍ବରୁ ମୁଲ ମଜୁରୀ ଲାଗି ଚଳୁଥିବା ବିଳାସିନୀ ରୋଗଗ୍ରସ୍ତ ହୋଇ କାମ କରିବାକୁ ଅକ୍ଷମ ହୋଇପଡିଲେ । ପରେ କିଛିଦିନ ଭିକ୍ଷାବୃତି କରି ସେ ନିଜ ଗୁଜୁରାଣ ମେଂଟାଉଥିବା ବେଳେ ଏବେ ତାହା ବି ସମ୍ଭବ ହେଉନାହିଁ । ସ୍ୱାମୀ ମଧ୍ୟ ବୟସର ଅପରାହ୍ନରେ । ସେ ବି ରୋଜଗାର କରିବାକୁ ଅକ୍ଷମ । ଏହି ଦମ୍ପତିଙ୍କର ପୁଅ ନଥିବା ବେଳେ ୨ ଝିଅଙ୍କୁ ବାହା କରି ଦେଇଛନ୍ତି । ତେଣୁ ପରିବାରରେ ଅନ୍ୟକେହି ରୋଜଗାକ୍ଷମ ନଥିବାରୁ ଭାକିଲା ପେଟରେ ରୋଗର ଯନ୍ତ୍ରଣା । ଓଳିଏ ଖାଇଲେ ଓଳିଏ ଉପାଷ । ଚିକିତ୍ସା କରିବା ବା ଔଷଧ ଖାଇବାକୁ ଏବେ ହାତରେ କାଣି କୋଉଡି ଟିଏ ବି ନାହିଁ । ସରକାରୀ ସହାୟତା କହିଲେ କେବଳ ମାସକୁ ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତା । ଏଭଳି ପରିସ୍ଥିତିରେ ଜୀବନ ମରଣର ଦୋଛକିରେ ଛଟପଟ ହେଉଛନ୍ତି ବିଳାସିନୀ । ଏତେବଡ ଦୁନିଆରେ ବିଳାସିନୀଙ୍କ ଦୁଃଖ ଦେଖିବାକୁ ସତେଯେମିତି କେହି ନାହାନ୍ତି । ସହାୟତା ପାଇଁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାବତ କୌଣସି ସହାୟତା ମିଳିନାହିଁ । ତେଣୁ ତୁରନ୍ତ ବିଳାସିନୀଙ୍କ ଚିକିତ୍ସା ପାଇଁ ସରକାର ସହାୟତା ଯୋଗାଇ ଦେବାକୁ ତାଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ଦାବୀ କରିଛନ୍ତି । ସେପଟେ ଏନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

୫ଟି ର ସରକାର ସାରା ରାଜ୍ୟରେ ରୋଗୀ ମାନଙ୍କ ମାଗଣାରେ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଳାସିନୀ ଙ୍କ ଚିକିତ୍ସା ପାଇଁ ମଧ୍ୟ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.