ମୁମ୍ବାଇ ମାରାଥନରେ ଅଘଟଣ, ୭ ଅସୁସ୍ଥ, ହୃଦଘାତରେ ଜଣକର ମୃତ୍ୟୁ
19/01/2020 at 4:32 PM

ମୁମ୍ବାଇ ୧୯।୧: ରବିବାର ସକାଳେ ଟାଟା ମୁମ୍ବାଇ ମାରାଥନ-୨୦୨୦ ଅନୁଷ୍ଠିତ ହୋଇଯାଇଛି। ତେବେ ମାରାଥନର ସିନିୟର ସିଟିଜେନଙ୍କ ବିଭାଗରେ ଦୌଡୁଥିବା ଜନୈକ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ମୃତକ ଗଜାନନ ମଲଜାଲକର ଭାବେ ଚିହ୍ନଟ ହୋଇଛନ୍ତି। ସେ ଦୌଡୁଥିବା ବେଳେ ଅଚାନକ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବମ୍ବେ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

କେବଳ ମଲଜାଲକର ନୁହଁନ୍ତି ମାରାଥନର ଅଂଶଗ୍ରହଣ କରିଥିବା ମୋଟ ୭ ଜଣ ଅସୁସ୍ଥ ହୋଇପଡିଥିଲେ। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟାଟା ମୁମ୍ବାଇ ମାରାଥନର ଏହା ଥିଲା ସପ୍ତଦଶତମ ସଂସ୍କରଣ। ଯେଉଁଥିରେ ଚଳିତବର୍ଷ ୫୫ ହଜାର ଲୋକେ ଅଂଶଗ୍ରହଣ କରିବା ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ମାରାଥନକୁ ମହାରାଷ୍ଟ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ସବୁଜ ପତାକା ହଲାଇ ଉଦଘାଟନ କରିଥିଲେ। ହାଫ ମାରାଥନ ସକାଳ ୫ଟା ୧୫ ମିନିଟ୍ ରେ ଆରମ୍ଭ ହୋଇଥିବା ବେଳେ ୧୦ କିଲୋମିଟରର ଫୁଲ ମାରାଥନ ସଢେ ୬ଟାରେ ଆରମ୍ଭ ହୋଇଥିଲା। ୧୦ କିଲୋମିଟର ମାରାଥନ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ (ସିଏସଟି)ରୁଆରମ୍ଭ ହୋଇ ପେଡାର ରୋଡରେ ସମାପ୍ତ ହୋଇଥିଲା। ଏହି ଦୌଡରେ ଲୋକେ ବାନ୍ଦ୍ରା-ୱର୍ଲି ସି ଲିଙ୍କ ମେରିନ ଡ୍ରାଇଭ, ମହାଲକ୍ଷ୍ମୀ ରେସ୍ କୋର୍ସ, ହାଜି ଅଲ୍ଲୀ ଦେଇ ପେଡାର ରୋଡରେ ପହଞ୍ଚିଥିଲେ।
