ସୁପ୍ରିମ କୋର୍ଟ ବାହାରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ

Published By : Prameya-News7 Bureau | January 21, 2022 IST

ନୂଆଦିଲ୍ଲୀ ୨୧/୦୧ :  ଶୁକ୍ରବାର ନୋଏଡ଼ାରେ ରହୁଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତି ସୁପ୍ରିମ କୋର୍ଟ ବାହାରେ  ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । କିନ୍ତୁ କୋର୍ଟ ପରିସରରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀ ଠିକ ସମୟରେ ନିଆଁକୁ ଆୟତ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।  

ଏହି ଘଟଣା ସମୟରେ ପାଖରେ ଛିଡ଼ା ହୋଇଥିବା ଅନ୍ୟଜଣେ ବ୍ୟକ୍ତି ନିଜ ମୋବାଇଲ ଫୋନରେ ଏହି ଘଟଣାର ଭିଡିଓ ରେକର୍ଡ କରିଥିଲେ, ଯେତେବେଳେ ପୋଲିସ ରାସ୍ତାରେ ପଡ଼ି କାନ୍ଦୁଥିବା ବ୍ୟକ୍ତିର ସାହାଯ୍ୟ କରୁଥିଲେ। ତେବେ ଏହି ସମୟରେ ବ୍ୟକ୍ତି ଜଣକ  କହୁଥିଲେ ‘’ମୁଁ ଏକ ଗରିବ ପରିବାରରୁ। ମୋ ପରିବାର ଭୋକରେ ମରୁଛି’’।

ସୁପ୍ରିମ କୋର୍ଟ ବାହାରେ ନିୟୋଜିତ ହୋଇଥିବା ପୋଲିସ କର୍ମୀ ନିଆଁକୁ ଆୟତ୍ତ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ପିନ୍ଧିଥିବା ପୋଷାକକୁ ଚିରି ଦେଇଥିଲେ। ପରେ ଚିକିତ୍ସା ପାଇଁ ଦୁଇଜଣ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଡାକ୍ତରଖାନା ନେଇଥିଲେ ।

ପୋଲିସ କହିଛି ନିଜ ବ୍ୟକ୍ତିଗତ ଜୀବନରେ କିଛି ସମସ୍ଯାର ସାମ୍ନା କରୁଥିବାରୁ ସେହି ବ୍ୟକ୍ତି ସୁପ୍ରିମ କୋର୍ଟକୁ ଆସିଥିଲେ। ବ୍ୟକ୍ତିଙ୍କ ଶରୀର କେତେଭାଗ ପୋଡ଼ିଛି ତାହା ସ୍ପଷ୍ଟ ହୋଇନାହିଁ। ଗତ ୬ମାସ ଭିତରେ ସୁପ୍ରିମ କୋର୍ଟ ବାହାରେ ଏହା ଏପରି ଦ୍ୱିତୀୟ ଘଟଣା ।

ଗତବର୍ଷ  ଅଗଷ୍ଟ ମାସରେ ଜଣେ ୨୪ ବର୍ଷୀୟା ମହିଳା ଓ ଜଣେ ପୁରୁଷ ସୁପ୍ରିମ କୋର୍ଟ ବାହାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଘଟଣାର ଗୋଟିଏ ସପ୍ତାହ ଭିତରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ସମ୍ପୃକ୍ତା ମହିଳା ଅଭିଯୋଗ କରିଥିଲେ ୨୦୧୯ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.