ବାପା ଅପମାନିତ କରିଥିବାରୁ ୯ବର୍ଷର ଏକମାତ୍ର ପୁଅକୁ ଗଳାଚିପି ହତ୍ୟା

Published By : Prameya-News7 Bureau | November 19, 2018 IST

ଯୋନପୁର ୧୯/୧୧: ଉତ୍ତରପ୍ରଦେଶ ଯୋନପୁର ଜିଲ୍ଲା ଅନ୍ତର୍ଗତ ଏକ ଗାଁରେ ଜଣେ ୯ବର୍ଷ ବୟସର ନାବାଳଙ୍କ ହତ୍ୟାକାରୀକୁ ଧରିବାରେ ପୋଲିସ୍ ସଫଳ ହୋଇଛି। ଫୋନରେ ମେସେଜ୍ ଦିଆନିଆକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, କୋରାକେତ କୋଟଓ୍ବାଲ ଅଞ୍ଚଳ ଗାଁ ମଥୁରାପୁରରେ ରହୁଥିବା ମହେନ୍ଦ୍ର ବିଶ୍ବକର୍ମାଙ୍କ ପୁଅ ଆର୍ଯ୍ୟନ ବିଶ୍ବକର୍ମା(୯) ଶୁକ୍ରବାର ଅପରାହ୍ନରେ ସ୍କୁଲରୁ ଫେରିଥିଲେ। କିନ୍ତୁ ଏହାର କିଛି ସମୟପରେ ସେ ହଠାତ୍ ଗାୟବ୍ ହୋଇଯାଇଥିଲେ। ବହୁତ ଖୋଜାଖୋଜି ପରେ ମଧ୍ୟ ଆର୍ଯ୍ୟନଙ୍କ କୈାଣସି ସୂଚନା ନମିଳିବାରୁ ପରିବାର ଲୋକେ କୋଟଓ୍ବାଲ ଥାନାକୁ ଜଣାଇଥିଲେ। ଶନିବାରଦିନ ପୋଲିସ୍ ଆର୍ଯ୍ୟାନ୍ ପଢ଼ୁଥିବା ସ୍କୁଲର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଫୁଟେଜରୁ ଜଣାପଡ଼ିଥିଲା ଯେ, ପଡ଼ୋଶୀ ଘରର ଯୁବକ ଅଖିଳେଶ କମାର ଆର୍ଯ୍ୟାନକୁ ସାଙ୍ଗରେ ନେଇ ଯାଇଛି। ଅଖିଳେଶକୁ ଆର୍ଯ୍ୟାନର ପରିବାରର ଲୋକେ ମଧ୍ୟ ସନ୍ଦେହ କରୁଥିବା ପୋଲିସ୍ ଆଗରେ ପ୍ରକାଶ କରିଥିଲେ। ଫଳରେ ଅଖିଳେଶକୁ ପୋଲିସ୍ ଘରୁ ଉଠାଇନେଇଥିଲା। ପୋଲିସ୍ ଅତି ଦୃଢ଼ ଓ ଶକ୍ତଭାବେ ପଚାରିଲାପରେ ଅଖିଳେଶ ସମସ୍ତ କଥା ମାନିଯାଇଥିଲା। ସେ କହିଥିଲା ଯେ,କିଛିଦିନ ତଳେ ଫୋନରେ ମେସେଜ ଦିଆନିଆକୁ କେନ୍ଦ୍ରକରି ଆର୍ଯ୍ୟାନର ପିତା ମହେନ୍ଦ୍ର ବିଶ୍ବକର୍ମା ତାକୁ ସର୍ବସମ୍ମୁଖରେ ଅପମାନିତ କରିଥିଲେ। ଏହାର ପ୍ରତିଶୋଧ ନେବାପାଇଁ ଆର୍ଯ୍ୟାନ୍ ସ୍କୁଲରୁ ବାହାରିବାମାତ୍ରେ ଫୁସୁଲାଇ ତାକୁ ୪ଚକିଆ ଯାନରେ ଅପହରଣ କରିନେଇଥିଲେ। ମୋକଲପୁର ଗାଁ ନିକଟରେ ଗାଡ଼ି ଭିତରେ ହିଁ ଆର୍ଯ୍ୟାନର ଗଳାଚିପି ତାକୁ ହତ୍ୟା କରିଥିଲା ବୋଲି ଅଖିଳେଶ ପୋଲିସକୁ କହିଛି। ଅଖିଳେଶ କରିଥିବା ଅପରାଧକୁ ସ୍ବୀକାର କରିବା ପରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.