ଜୋତା ଚୋରି ଅଭିଯୋଗରେ ନବମ ଶ୍ରେଣୀର ଦଳିତ ଛାତ୍ରୀକୁ ୫ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ନିର୍ଧୁମ ମାଡ ମାରିଲେ, ଥାନାରେ ଅଭିଯୋଗ

Published By : Prameya-News7 Bureau | December 05, 2018 IST

ଜୟପୁର ୫|୧୨: ଜୋତା ଚୋରି ଅଭିଯୋଗରେ ନବମ ଶ୍ରେଣୀର ଦଳିତ ଛାତ୍ରୀକୁ ନିର୍ଧୁମ ମାଡ ଅଭିଯୋଗ । ଜୟପୁର ସରକାରୀ ବାଳିକା ବିଦ୍ୟାଳୟର  ୫ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଛାତ୍ରୀଙ୍କ ପରିବାର  ଜୟପୁର ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ  ଖୋଳତାଡ଼ ଆରମ୍ଭ କରିଛି । ନବମ ଶ୍ରେଣୀ ଛାତ୍ରୀଙ୍କୁ  ଅମାନୁଷିକ ମାଡ଼ । ମାଡ଼ ମାରିଲେ ୫ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ । ଜୟପୁର ସରକାରୀ ବାଳିକା ବିଦ୍ୟାଳୟରୁ ଆସିଛି ନିହାତି ଲଜ୍ଜାଜନକ ଖବର । ମାଡ଼ ମାରିବାର କାରଣ ହେଉଛି ଛାତ୍ରୀଙ୍କ ବ୍ୟାଗରୁ ଜଣେ ସହପାଠୀଙ୍କ ଜୋତା ବାହାରିଲା । ଜୋତା ଚୋରି ଅଭିଯୋଗରେ ୪ ଶିକ୍ଷୟିତ୍ରୀ ଏବଂ ଜଣେ ଶିକ୍ଷକ ମିଶି ମାଡ଼ ମାରିଛନ୍ତି ଛାତ୍ରୀଙ୍କୁ । ତେବେ ଛାତ୍ରୀ ଜଣକୁ ଜୋତା ଚୋରି କରିନାହାଁନ୍ତି ବୋଲି କହିଛନ୍ତି । ସେପଟେ ଛାତ୍ରୀଙ୍କ ପରିବାର ଅଭିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବିରୋଧରେ ଜୟପୁର ଟାଉନ ଥାନାରେ ମାମଲା ଦାୟର କରିଛନ୍ତି । ଘଟଣାଟି  ନଭେମ୍ବର ୨୯ର ।ସ୍କୁଲ ଛୁଟି ହେବା ପୂର୍ବରୁ ୬ ଜଣ ଛାତ୍ରୀଙ୍କ ଜୋତା ହଜି ଯାଇଥିବା ଅଭିଯୋଗ ହୋଇଥିଲା । ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ କିଛି ଛାତ୍ରୀଙ୍କ ସ୍କୁଲ ବ୍ୟାଗ ଚେକ୍ କରିଥିଲେ।ଏହି ସମୟରେ ଏହି ଛାତ୍ରୀ ଜଣଙ୍କ ସହ ଅନ୍ୟ ୫ ଜଣ ଛାତ୍ରୀଙ୍କ ବ୍ୟାଗରୁ  ଜୋତା  ବାହାରିଥିଲା । ଚୋରି କରିବା ଠିକ ନୁହଁ ବୋଲି ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କେବଳ ଛାତ୍ରୀ ଜଣଙ୍କୁ ବୁଝାଇବା ସହ ତାଗିଦ କରିଥିଲେ ।ହେଲେ ଛାତ୍ରୀଙ୍କ ଦେହରେ ମାଡ ଚିହ୍ନ କେମିତି ଆସିଲା ସେମାନେ ଜାଣିନହାଁନ୍ତି ବୋଲି କହିଛନ୍ତି ।  ଘଟଣାକୁ ସପ୍ତାହେ ହେବାକୁ  ଯାଉଥିବା ବେଳେ ପୋଲିସ ଆଜି ଆରମ୍ଭ କରିଛି କାର୍ଯ୍ୟନୁଷ୍ଠାନ ।ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଥାନାକୁ ଡାକି ପଚରା ଉଚୁରା ବି କରିଛି । ସେପଟେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ବ୍ଳକ ଶିକ୍ଷା ଅଧିକାରୀ।  ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଛନ୍ତି ସରକାର ।ଏତିକି ବେଳେ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆସିବା ଚିନ୍ତାଜନକ ନିଶ୍ଚିତ । ଘଟଣାର ନିରପେକ୍ଷ ତଦନ୍ତ ସହ ସତ ପଦାକୁ ଆସିବା ଜରୁରୀ ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.