ନବମ ଶ୍ରେଣୀ ଛାତ୍ରୀଙ୍କୁ ଶ୍ରେଣୀଗୃହରେ ଅସଦାଚରଣ ସହ ଏସିଡ୍ ମାଡ ଧମକ ଦେଲେ ଦୁଇ ସହପାଠୀ ଛାତ୍ର, ଥାନାରେ ମାମଲା

Published By : Prameya-News7 Bureau | November 13, 2019 IST

ଜଗତସିଂହପୁର ୧୩।୧୧: ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କର ଦୁଇ ସହପାଠୀ ଛାତ୍ର ଶ୍ରେଣୀଗୃହରେ ବାରମ୍ବାର ଅସଦାଚରଣ କରିବା ଅଭିଯୋଗ ହୋଇଛି । ନିର୍ଯାତନାରେ ଅତିଷ୍ଠ ଛାତ୍ରୀ ଜଣକ ପାଠପଢ଼ା ଛାଡିବାକୁ ବସିଛନ୍ତି । କେବଳ ସେତିକି ନୁହେଁ, ଦୁଇ ଅଭିଯୁକ୍ତ ଛାତ୍ର ସଂପୃକ୍ତ ଛାତ୍ରୀଙ୍କୁ ଏସିଡ୍‌ ଫିଙ୍ଗିବାକୁ ଧମକ ମଧ୍ୟ ଦେଇଥିବା ଜଣାପଡ଼ିଛି । ଜଗତସିଂହପୁର ନାଲିବର ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଘଟଣା ସଂପର୍କରେ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ତିର୍ତ୍ତୋଲ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ନାଲିବର ଅଞ୍ଚଳର ଏକ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟରେ ପଢୁଥିବା ଦୁଇ ଜଣ ନବମ ଶ୍ରେଣୀ ଛାତ୍ର ଦୁର୍ବ୍ୟବହାର କରି ଆସୁଥିଲେ । ସେମାନେ ଛାତ୍ରୀଙ୍କ ସାଇକେଲ ଭାଂଗିଥିଲେ, ତାଙ୍କୁ ହଇରାଣ କରୁଥିଲେ । ଗତ ମାସ ୨୩ ତାରିଖରେ ଶ୍ରେଣୀ ଗୃହ ଭିତରେ ଶିକ୍ଷକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁଇ ଛାତ୍ର ସଂପୃକ୍ତ ଛାତ୍ରୀଙ୍କ ଡ୍ରେସ୍‌କୁ ଟାଣି ଚିରି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏ ନେଇ ଛାତ୍ରୀଙ୍କ ବାପା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ସେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପାଟି ଚୁପ୍‌ କରି ବସି ରହିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ବାପା । ଗତ ମାସ ୨୯ ତାରିଖରେ ଅଭିଯୁକ୍ତ ଛାତ୍ରମାନେ ସଂପୃକ୍ତ ଛାତ୍ରୀଙ୍କ ବାଟ ଓଗାଳି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଏସିଡ୍‌ ମାଡ଼ କରିବାକୁ ଧମକ ଦେଇଥିଲେ । ଫଳରେ ସଂପୃକ୍ତ ଛାତ୍ରୀ ବିଦ୍ୟାଳୟକୁ ଯିବାକୁ ଅରାଜି ହୋଇଥିଲେ । ଛାତ୍ରଙ୍କ ଉତ୍ପାତ ବଢିବା ଦେଖି ଛାତ୍ରୀଙ୍କ ବାପା ଜିଲ୍ଲା ଶିଶୁ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିଲେ । ଗତ ୪ ତାରିଖରେ ଛାତ୍ରୀଙ୍କ ବାପା ଥାନାରେ ଏତଲା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.