ଘରଲୋକେ ପ୍ରେମିକଙ୍କୁ ପିଟିବାରୁ ଆତ୍ମହତ୍ୟା କଲା ପ୍ରେମିକା

Published By : Prameya-News7 Bureau | May 22, 2019 IST

ସରଦାରନଗର ୨୨/୫: ଉତ୍ତରପ୍ରଦେଶର ଚୈାରିଚୈାରା ଅଞ୍ଚଳର ଏକ ଗାଁରେ ସୋମବାର ରାତିରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ପ୍ରେମିକକୁ ପ୍ରେମିକାଙ୍କ ଘରଲୋକେ ପିଟିଛନ୍ତି। ଏଥିରେ ମର୍ମାହତ ହୋଇ ନବମ ଶ୍ରେଣୀର ପ୍ରେମିକା ବିଷ ଖାଇ ଜୀବନ ଦେଇଛି। ଏହା ପୂର୍ବରୁ, ଜବରଦସ୍ତି ଘରେ ପଶିଥିବାର ସୂଚନା ପାଇ ପୋଲିସ୍ ପ୍ରେମିକକୁ ଗିରଫ କରିଥିଲା। କିନ୍ତୁ ମଙ୍ଗଳବାର ତଡ଼କେ ଥାନା ପହଞ୍ଚି ଉଭୟ ପକ୍ଷ ଆପୋଷ ବୁଝାମଣା କରିଥିଲେ। ଥାନାରୁ ବାହାରିବା ପରେ ପ୍ରେମିକ ଫେରାର ହୋଇଯାଇଛି।

ପୋଲିସଙ୍କ କହିବା ମୁତାବକ ଜଣେ କିଶୋରୀର ସେହି ଗାଁର ଜଣେ କିଶୋରଙ୍କର ସହ ପ୍ରେମ ସମ୍ପର୍କ ଥିଲା। ଗତ ସୋମବାର ରାତି ୨ଟାବେଳେ କିଶୋର ଜଣକ କିଶୋରୀଙ୍କ ଘରକୁ ଆସିଥିଲା। ଘରେ ପଶିବାକୁ ପ୍ରବେଶ କଲାବେଳେ ପ୍ରେମିକାଙ୍କ ଘର ଲୋକେ ତାକୁ ଧରିଥିଲେ ଏବଂ ମାଡ଼ ମାରିଥିଲେ। ପାଟିତୁଣ୍ଡ ଶୁଣି ଆଖପାଖ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ଏହି ସମୟରେ କେହି ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ୍ ଆସି କିଶୋରକୁ ଥାନାକୁ ନେଇଯାଇଥିଲା। ଏହାପରେ ପୁଅଘର ଲୋକେ ସେଠାରେ ଆସି ପହଞ୍ଚିଯାଇଥିଲେ ଏବଂ ସକାଳେ ଉଭୟ ପକ୍ଷ ଥାନାକୁ ଯାଇ ଆପୋଷ ବୁଝାମଣା କରିଥିଲେ।

ଏପଟେ କିଶୋରୀଙ୍କୁ କେହିଜଣେ ଖବର ଦେଇଥିଲେ ଯେ ତାଙ୍କ ପ୍ରେମିକ ଗୁରୁତର ଅଛନ୍ତି ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିରେ ମର୍ମାହତ ହୋଇ କିଶୋରୀ ଜଣକ ବିଷ ଖାଇ ଦେଇଥିଲେ। ଘରଲୋକେ ଥାନାରୁ ଘରେ ପହଞ୍ଚି ଝିଅର ଏପରି ଅବସ୍ଥା ଦେଖି ତାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମେଡିକାଲ କଲେଜକୁ ରେଫର କରି ଦେଇଥିଲେ। ମେଡିକାଲ କଲେଜରେ ଚିକିତ୍ସା ସମୟରେ କିଶୋରୀଙ୍କ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.