ଆମେରିକାରେ ଭିନ୍ନ ଭିନ୍ନ ଦିନରେ ଗୋଟିଏ ପବ୍ ଯାଇଥିବା ୯୫ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ପବ୍ ଯାଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିବା ଫଳରେ ପାଖାପାଖି ୧୨ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ସୁଦ୍ଧା ଆମେରିକାର ମିଶିଗନର ହାର୍ପର ରେଷ୍ଟୁରାଣ୍ଟ ଏବଂ ବ୍ରୃ ପବ ସହ ଜଡ଼ିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୭ହୋଇ ସାରିଛି। ଏବେ କରୋନା ମାମଲା ଆହୁରି ବଢ଼ିପାରେ।
ସୋସିଆଲ୍ ମିଡିଆରେ ସାମନାକୁ ଆସିଥିବା ଫଟୋ ଦେଖି ଜଣା ପଡ଼ୁଛି ଯେ ଲକଡାଉନରେ ପବ୍ ଖୋଲିବା ପରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯିବା ପରେ ଏବେ ପବକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି ଏବଂ ଏପରି ବ୍ୟବସ୍ଥା କରାଯାଉଛି ଯେପରି ପବ୍ ଖୋଲିଲେ ବି ଭିଡ଼ ହେବ ନାହିଁ।
ସୂଚନା ଅନୁଯାୟୀ ସଂକ୍ରମିତ ଜଣା ପଡ଼ିଥିବା ସମସ୍ତ ବ୍ୟକ୍ତି ଜୁନ୍ ୧୨ରୁ ଜୁନ୍ ୨୦ମଧ୍ୟରେ ପବ୍ ଯାଇଥିଲେ। ସମସ୍ତ ସଂକ୍ରମିତ ୧୫ରୁ ୨୮ବର୍ଷ ବୋଲି ଜଣା ପଡ଼ିଛନ୍ତି। ଏବେ ସୁଦ୍ଧା ଅଧିକାଂଶ ଲୋକଙ୍କଠାରେ ସାଧାରଣ ଲକ୍ଷଣ ଦେଖାଯାଇଛି।