ସମ୍‌ରେ କୋଭିଡ୍‌ରୁ ସୁସ୍ଥ ହେଲେ ୯୪ ବର୍ଷୀୟ ବୃଦ୍ଧ

Published By : Prameya-News7 Bureau | July 20, 2021 IST

ଭୁବନେଶ୍ୱର ୨୦।୭: ସମ୍ କୋଭିଡ୍ ହସ୍ପିଟାଲ୍‌ରେ କୋଭିଡ୍‌-୧୯କୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ । ପୁରୀ ଅଂଚଳର ୯୪ ବର୍ଷୀୟ ବୃଦ୍ଧ ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ୍ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଗତ ଜୁଲାଇ ୧୩ ତାରିଖରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସୁରଥ  ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଅଧିକ ମାତ୍ରାରେ ଅକ୍ସିଜେନ୍‌ର ଆବଶ୍ୟକତା ଥିଲା । ନିଃଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିବା ସହ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସମେତ ଅନେକ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ମଧ୍ୟ ରହିଥିଲା । ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିଲା ।

ତେବେ ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କର ସେବା, ଯତ୍ନ ଓ ଉତ୍ତମ ଚିକିତ୍ସା ଯୋଗୁଁ ସେ ଘରକୁ ଫେରିପାରିଛନ୍ତି ।

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁରଥଙ୍କ ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ବୋହୂ ସୁଲୋଚନା ସାହୁ । ତାଙ୍କ ଶ୍ୱଶୁରଙ୍କ ଚିକିତ୍ସା ଠିକ୍ କରାଯାଉଥିଲା ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ଠିକ୍ ଭାବେ ପରିବାରକୁ ଜଣାଇ ଦିଆଯାଉଥିଲା ବୋଲି ସେ କହିଛନ୍ତି ।

କରୋନା ମହାମାରୀର ଦ୍ୱିତୀୟ ଲହରୀରେ ମଧ୍ୟ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଅନେକ ବୟୋଜ୍ୟେଷ୍ଠ ସୁସ୍ଥ ହୋଇ ଘରକୁ ଫେରିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.