କଟକ ଜିଲ୍ଲାରୁ ସର୍ବାଧିକ ୯୨ କରୋନା ପଜିଟିଭ୍ ଚିହ୍ନଟ, ୪୪୭ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | June 13, 2020 IST

କଟକ ୧୩।୬: କଟକ ଜିଲ୍ଲାରେ କରୋନା ପଜିଟିଭ୍‌ ସଂଖ୍ୟା ରେକର୍ଡ କରିଛି । ଦିନକରେ ୯୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିରେ ନିଶ୍ଚିନ୍ତକୋଇଲି ବ୍ଲକ୍‌ରୁ ୪୩ ଜଣ ଏବଂ ନରସିଂହପୁର ବ୍ଲକ୍‌ରୁ ୨୬ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ନିଆଳିରୁ ୧୧, ମାହାଙ୍ଗାରୁ ୫, ଡମପଡ଼ାରୁ ୪ଜଣ ଓ କଟକ ସହରରୁ ଜଣେ ପ୍ରବାସୀଙ୍କଠାରେ କରୋନା ସଂକ୍ରମଣ ଦେଖାଯାଇଥିବା ରିପୋର୍ଟ ମିଳିଛି । ଅଧିକାଂଶ ଆକ୍ରାନ୍ତ ପ୍ରବାସୀ ଓ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ । ମାହାଙ୍ଗାରୁ ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରେ ଜଣେ କ୍ୱାରେଣ୍ଟାଇନ୍‌ ସେଣ୍ଟର ଜଗୁଥିବା ସିକ୍ୟୁରିଟି ଗାର୍ଡ ବି ରହିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ କଟକ ଜିଲ୍ଲାରେ କରୋନା ପଜିଟିଭ୍‌ ସଂଖ୍ୟା ୪୪୭ରେ ପହଞ୍ଚିଛି ।

ସପ୍ତାହକ ଭିତରେ ଜିଲ୍ଲାରୁ ଦୁଇଶହରୁ ଅଧିକ ପଜିଟିଭ୍‌ ବାହାରିବା ଜିଲ୍ଲା ପ୍ରଶାସନ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କଟକ କରୋନାର ହଟ୍‌ ସ୍ପଟ୍‌ ପାଲଟିବା ଆଶଙ୍କା ସୃଷ୍ଟି ହୋଇଛି । ସ୍ଥାନୀୟ ସଂକ୍ରମଣ ନେଇ ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି ।

ମାହାଙ୍ଗା ବ୍ଲକ୍‌ରୁ ପୁଣି ଜଣେ ସ୍ଥାନୀୟ ଲୋକଙ୍କଠାରେ ସଂକ୍ରମଣ ଦେଖାଯାଇଛି । ଚୌଧୁରୀ ରାଧାନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଟିଏମ୍‌ସିରେ ଜଣେ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭ୍‌ ଥିବା ଜଣାପଡିଛି । ଏହାକୁ ଲୋକାଲ୍‌ କେସ୍‌ ବା ସ୍ଥାନୀୟ ସଂକ୍ରମଣ କୁହାଯାଉଛି । ପଜିଟିଭ୍‌ ବାହାରିବା ପରେ ସିକ୍ୟୁରିଟି ଗାର୍ଡ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍‌ ନିୟୋଜିତ ହୋଇଛନ୍ତି ।

ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ ୪ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହୁଥିବା ପ୍ରବାସୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ସେହିପରି ସାଲେପୁର ନାନ୍ଦୋଳ କ୍ୱାରେଣ୍ଟାଇନ୍‌ରୁ ଘରକୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହୁଥିବା ଜଣେ ପ୍ରବାସୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବା ବେଳେ ତାଙ୍କର ସ୍ୱାବ୍‌ ପରୀକ୍ଷା କରାଯାଇଥିଲା । ଏହାପରେ ସେ ଘରକୁ ଫେରିଥିଲେ । ପରେ ପ୍ରଶାସନ ତରଫରୁ ତାଙ୍କୁ ପୁଣି ଡାକି ଦ୍ୱିତୀୟ ଥର ସ୍ୱାବ୍‌ ପରୀକ୍ଷା କରାଯିବା ପରେ ପଜିଟିଭ୍‌ ଆସିଛି । ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ଅବସ୍ଥାରେ ସଂପୃକ୍ତ ବ୍ୟକ୍ତିମାନେ ପ୍ରକୃତରେ କୋଭିଡ୍‌ ସତର୍କତା ଅବଲମ୍ବନ କରିଛନ୍ତି କି ନାହିଁ ତାହା ମଧ୍ୟ ପ୍ରଶାସନ ଜାଣିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.