ଆସାମ ବିଧାନସଭା ନିର୍ବାଚନ: ପୋଲିଂ ବୁଥ ମତଦାତା ସୂଚୀରେ ୯୦ ଜଣଙ୍କ ନାମ, ପଡିଛି ୧୭୧ ଭୋଟ, ୫ ଅଧିକାରୀ ନିଲମ୍ବିତ

Published By : Prameya-News7 Bureau | April 05, 2021 IST

ହାଫଲୋଙ୍ଗ ୫।୪: ଆସାମ ବିଧାନସଭା ନିର୍ବାଚନରେ ହୋଇଥିବା ଅନିୟମିତତା ଧିରେ ଧିରେ ପଦାକୁ ଆସିବାରେ ଲାଗିଲାଣି। ଏଥିରେ ଦିମା ହସାଓ ଜିଲ୍ଲାର ଭୋଟ ଗ୍ରହଣ କେନ୍ଦ୍ରରେ ହୋଇଥିବା ଭୋଟିଂ ଅନିୟମିତତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୯୦ ଜଣ ମତଦାତା ଥିବା ଏକ ପୋଲିଂ ବୁଥରେ ୧୭୧ଟି ଭୋଟ ପଡିଛି। ମାମଲାରେ ୫ ନିର୍ବାଚନ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ଏହି ମତଦାନ କେନ୍ଦ୍ରଟି ହାଫଲଙ୍ଗ ବିଧାନସଭା ନିର୍ବାଚନମଣ୍ଡଳିରେ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରେ ଭୋଟ ଗ୍ରହଣ ହୋଇଥିବା ବେଳେ ୭୪ ପ୍ରତିଶତ ଭୋଟ ହୋଇଥିବାର ନିର୍ବାଚନ ଅଧିକାରୀଙ୍କ ସୂଚନାରୁ ଜଣାପଡିଛି। ଖୋଟଲିର ଏଲପି ସ୍କୁଲ ୧୦୭(ଏ) ବୁଥରେ ଅନିୟମିତତା ଜଣାପଡିବା ପରେ ନିର୍ବାଚନ ଅଧିକାରୀ ତୁରନ୍ତ ୫ ପୋଲିଂ ଅଫିସରଙ୍କୁ ନିଲମ୍ବିତ କରିବା ସହ ସେଠାରେ ସାନି ମତଦାନ ଲାଗି ପ୍ରସ୍ତାବ ଦେଇଛନ୍ତି। ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ।

ସେପଟେ ଦାୟିତ୍ୱହୀନତା ଲାଗି ନିର୍ବାଚନ ଆୟୋଗ ସେକ୍ଟର ଅଫିସର ଏସ୍.ଲ୍ୟାଙ୍ଗୁମ,  ପୋଲିଂ ଅଫିସର ପ୍ରହ୍ଲାଦ ସି.ରାୟ, ଫାଷ୍ଟ ପୋଲିଂ ଅଫିସର ପରମେଶ୍ୱର ଚାରଙ୍ଗସା, ଦ୍ୱିତୀୟ ପୋଲିଂ ଅଫିସର ସ୍ୱରାଜ କାନ୍ତି ଦାସ ଓ ତୃତୀୟ ପୋଲିଂ ଅଫିସର ଏଲ.ଥିକ୍‌ଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି। ତେବେ ଅଧିକାରୀଙ୍କ ଅନୁସାରେ ଗ୍ରାମର ପ୍ରଧାନ ପୋଲିଂ ବୁଥରେ ଲଗାଯାଇଥିବା ମତଦାତା ସୂଚୀକୁ ଗ୍ରହଣ କରିନଥିଲେ ଓ ସେ ନିଜ ଘରୁ ଏକ ପୁରୁଣା ମତଦାତା ସୂଚୀ ଆଣି ସେହି ଅନୁସାରେ ଭୋଟ କରାଇଥିଲେ।

ତେବେ କେଉଁ  ପରିସ୍ଥିତିରେ ପୋଲିଂ ଅଫିସର ଗ୍ରାମ ପ୍ରଧାନଙ୍କ ଭୋଟର ସୂଚୀକୁ ଗ୍ରହଣ କଲେ ଓ ସେଠାରେ ସୁରକ୍ଷା ଅଧିକାରୀ ଥିଲେ କି ନା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.