ଓଡିଶାର୯୦ ପ୍ରତିଶତ ଲୋକ ଲକ୍‌ଡାଉନ୍‌କୁ ସମର୍ଥନ କରନ୍ତି, ଅନ୍ୟ ରାଜ୍ୟରେ କେତେ?

Published By : Prameya-News7 Bureau | April 13, 2020 IST

ଭୁବନେଶ୍ବର୧୩/୪: ଓଡ଼ିଶାରେ ଲକଡାଉନ୍ ଏପ୍ରିଲ ୩୦ ତାରିଖ ଯାଏଁ ବଢ଼ିଥିବା ବେଳେ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ କେଉଁଯାଏଁ ବଢ଼ିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ଘୋଷଣା କରିପାରନ୍ତି। ତେବେ ଗତ ୨୦ ଦିନ ଧରି ଲକ୍‌ଡାଉନର ସ୍ଥିତିକୁ ଦେଶର ସମସ୍ତ ରାଜ୍ୟ ତୁଳନାରେ ଓଡ଼ିଶାରେ ଲୋକେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଲକଡାଉନକୁ ନେଇ ଆପଣଙ୍କ ରାୟ କଣ । ଆପଣ ସନ୍ତୁଷ୍ଟ ନା ନୁହେଁ। ଦେଶ ବ୍ୟାପୀ ଏକ ସର୍ଭେ ହୋଇଥିଲା, ଯେଉଁଥିରେ ଲକ୍‌ ଡାଉନକୁ ନେଇ ବିଭିନ୍ନ ରାଜ୍ୟର ଲୋକେ କେଉଁଭଳି ମତ ଦେଉଛନ୍ତି। ଜନକି ବାତ୍‌ କରିଥିବା ଏହି ସର୍ଭେରେ ଓଡ଼ିଶାରେ ଲକ୍‌ଡାଉନ ବଢ଼ିବାକୁ ନେଇ ୮୫ ପ୍ରତିଶତ ଲୋକ ସନ୍ତେଷ ବ୍ୟକ୍ତ କରିଛନ୍ତି। ଯେତେବେଳେକି ଓଡ଼ିଶାରେ ଲକ୍‌ଡାଉନକୁ ସବୁଠାରୁ ଅଧିକ କଡ଼ାକଡ଼ି ପାଳନ କରାଯାଇଛି। ସେପଟେ କିନ୍ତୁ ପଶ୍ଚିମବଙ୍ଗରେ ଲକ୍‌ଡାଉନରେ ସାମାନ୍ୟ ଢିଲା ଦିଆଯାଇଥିବା ବେଳେ ଲୋକେ କିନ୍ତୁ ସେଠାରେ ଲକ୍‌ଡାଉନକୁ ନେଇ ଅସନ୍ତୁଷ୍ଟ। ମାତ୍ର ୩୮ ପ୍ରତିଶତ ଲୋକ ଲକଡାଉନକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଗୁଜରାଟରେ ୫୧ ପ୍ରତିଶତ, ବିହାର ୫୦ ପ୍ରତିଶତ, ଗୋଆରେ ୫୨ କର୍ଣ୍ଣାଟକ ୫୬ ମହାରାଷ୍ଟ୍ର ୬୨ ହରିୟାଣାରେ ୬୪ ପ୍ରତିଶତ ଲୋକ ଲକଡାଉନକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।  

ସେହିପରି ଲକଡାଉନକୁ ବଢ଼ାଯିବାକୁ ନେଇ ହୋଇଥିବା ସର୍ଭେରେ ଓଡ଼ିଶା ୯୦ ପ୍ରତିଶତ ଲୋକ ଏହାକୁ ସମର୍ଥନ କରିଥିବା ବେଳେ ସାରା ଦେଶରେ ଦେଖିଲେ ହାରାହାରି ୭୮ ପ୍ରତିଶତ ଲୋକ ଲକଡାଉନ ବଢ଼ାଯିବା ଲାଗି ମତ ଦେଉଛନ୍ତି। ଜନକିବାତ୍‌ ଏହି ସର୍ଭେ ଫୋନ ମାଧ୍ୟମରେ ୬ରୁ ୧୦ ତାରିଖ ମଧ୍ୟରେ କରାଇଥିଲା। କରୋନାକୁ ନିୟନ୍ତ୍ରଣ କରିବାରେ ଓଡ଼ିଶାର ମଡେଲକୁ ଏବେ ଦେଶ କାହିଁକି ଦେଶ ବାହାରେ ମଧ୍ୟ ପ୍ରଶଂସା କରାଯାଉଛି। ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ କରୋନାକୁ କାବୁ କରିବାରେ ସହାୟକ ହୋଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ୪୦ ପ୍ରତିଶତ ଅଞ୍ଚଳକୁ ଲକଡାଉନ ଘୋଷଣା କରିବାରେ ଦେଶର ପ୍ରଥମ ରାଜ୍ୟ ଥିଲା ଓଡ଼ିଶା।

ସେହିପରି ଓଡ଼ିଶା ମଧ୍ୟ ପ୍ରଥମ ରାଜ୍ୟ ଭାବେ ଲକଡାଉନ ଅବଧି ବଢ଼ାଇଛି। ଏହା ମଧ୍ୟ ପ୍ରଥମ ରାଜ୍ୟ ଯେଉଁଠି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏବଂ ୧ ହଜାର ବିଶିଷ୍ଟ କୋଭିଡ ହସ୍ପିଟାଲ ମାତ୍ର ୭ ଦିନରେ ଠିଆ କରାଇବାରେ ମଧ୍ୟ ଓଡିଶା ଥିଲା ପ୍ରଥମ ରାଜ୍ୟ। ଏପରିକି ଏହାକୁ ଏବେ ଓଡ଼ିଶା ୬ହଜାର ବେଡ୍‌କୁ ବୃଦ୍ଧି କରିବାକୁ ଯାଉଛି।

ସେହିପରି ଏଠାରେ କରୋନା ପଜିଟିଭ୍‌ ଆସିଥିବା ରୋଗୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ବର୍ତ୍ତମାନ ସୁଦ୍ଧା ଭଲ ହୋଇସାରିଲେଣି। ବିଦେଶ ଫେରନ୍ତାଙ୍କୁ ପଞ୍ଜୀକରଣ କରିବା ଏବଂ ସେମାନଙ୍କୁ ୧୫ ହଜାର ଟଙ୍କା ସହାୟତା ଦେବାରେ ମଧ୍ୟ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ଓଡ଼ିଶା ପ୍ରଥମ ରାଜ୍ୟ ଯାହାକି ସ୍ବାସ୍ଥ୍ୟକର୍ମୀଙ୍କୁ  ୪ ମାସର ଆଗୁଆ ଦରମା ଦେଇଛି। ସେହିପରି ବୟସ୍କ ଏବଂ ଭିନ୍ନ କ୍ଷମଙ୍କୁ ମଧ୍ୟ ୪ ମାସର ପେନସନ, ୩ ମାସର ପିଡିଏସ ଚାଉଳ ଦଏବାରେ ଓଡ଼ିଶା ମଧ୍ୟ ପ୍ରଥମ।  ଅନ୍ୟ ରାଜ୍ୟ ତୁଳନାରେ କରୋନା ମୁକାବିଲାରେ ଓଡ଼ିଶାର ମଡେଲ ଆଗରେ ରହିଛି ବୋଲି ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.