ଆଶ୍ଚର୍ଯ୍ୟ ! ନକଲି ରେମଡେସିଭିର ଇଞ୍ଜେକ୍ସନ ନେଇ କରୋନାକୁ ମାତ୍‌ ଦେଲେ ୯୦ ପ୍ରତିଶତ ରୋଗୀ, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦୋଛକିରେ ପୋଲିସ

Published By : Prameya-News7 Bureau | May 15, 2021 IST

ଭୋପାଳ ୧୫।୦୫: ମଧ୍ୟ ପ୍ରଦେଶରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଏଠାରେ ରେମଡେସିଭିରର ନକଲି ଇଞ୍ଜେକ୍ସନ ଲଗାଇଥିବା ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ ରୋଗୀ କରୋନା ଭାଇରସ୍‌ ଓ ଫୁସ୍‌ଫୁସ୍‌ ସଂକ୍ରମଣକୁ ମାତ୍‌ ଦେବାରେ ସଫଳ ହୋଇଛନ୍ତି। ନକଲି ଇଞ୍ଜେକ୍ସନର ତଦନ୍ତ କରୁଥିବା ପୋଲିସ ଅଧିକାରୀ ମଧ୍ୟ ହତବାକ୍। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ନକଲି ଇଞ୍ଜେକ୍ସନ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପୋଲିସ ଦୋଛକିରେ ଯେ କେମିତି ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବେ।

ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଇନ୍ଦୋର ଓ ଜବଲପୁରରେ ନକଲି ରେମଡେସିଭିର ବିକ୍ରି କରିଥିବା ଲୋକଙ୍କ ବିରୋଧରେ ହତ୍ୟା କେସ୍ ରୁଜୁ କରାଯାଉ। ଆଶ୍ଚର୍ଯ୍ୟକର କଥା ଏହା ଯେ, ଯେଉଁମାନେ ନକଲି ଇଞ୍ଜେକ୍ସନ ନେଇଛନ୍ତି, ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ସୁସ୍ଥ ଅଛନ୍ତି ଏବଂ କାହାରି ମୃତ୍ୟୁ ବି ଘଟିନାହିଁ।

ଏହି କାରବାରରେ ଯେଉଁ ଲୋକଙ୍କୁ ଗିରଫ କରାଯାଇଛି ସେମାନଙ୍କ ଲିଙ୍କ୍ ଗୁଜରାଟର ଏକ ଗୋଷ୍ଠୀ ସହ ରହିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି, ନକଲି ଇଞ୍ଜେକ୍ସନ ନେଇଥିବା ୧୦ ଜଣଙ୍କ ଇନ୍ଦୋରରେ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଯେଉଁ ରୋଗୀଙ୍କ ମୃତ୍ୟୁ ଘଟିଛି ସେମାନଙ୍କୁ ଅନ୍ତିମ ସଂସ୍କାର କରାଯାଇଛି। ତେବେ ୧୦ ରୋଗୀଙ୍କ ମୃତ୍ୟୁକୁ ନକଲି ଇଞ୍ଜେକ୍ସନ ସହ ଯୋଡିବା ପୋଲିସ ପାଇଁ କାଠିକର ପାଠ ହୋଇ ପଡିଛି।

ମାମଲାର ତଦନ୍ତ କରୁଥିବା ପୋଲିସ ମଧ୍ୟ ନକଲି ଇଞ୍ଜେକ୍ସନର ପରିଣାମକୁ ନେଇ ଆଶ୍ଚର୍ଯ୍ୟ। ନକଲି ଇଞ୍ଜେକ୍ସନର ଶିଶିରେ ଗ୍ଲୁକୋଜ ପାଣି ଭର୍ତ୍ତି କରାଯାଇଥିଲା। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଡାକ୍ତର ଏହାର ଯାଞ୍ଚ କରନ୍ତୁ ଯେ, ଗ୍ଲୁକୋଜ୍‌ ପାଣିରେ ଫୁସ୍‌ଫୁସ୍‌ ସଂକ୍ରମଣ ରୋଗୀ କେମିତି ସୁସ୍ଥ ହେଲେ।

ଗୁଜରାଟରୁ ଧରା ପଡିଥିବା ଅଭିଯୁକ୍ତମାନେ ସ୍ଵୀକାର କରିଛନ୍ତି ଯେ, ସେମାନେ ଇନ୍ଦୋରରେ ପ୍ରାୟ ୭୦୦ ଓ ଜବଲପୁରରେ ୫୦୦ ନକଲି ଇଞ୍ଜେକ୍ସନ ବିକ୍ରି କରିଥିଲେ। ଇନ୍ଦୋର ଆଇଜି ହରିନାରାୟଣ ମିଶ୍ର ଚାରି କହିଛନ୍ତି, ଜଣେ ହେଲେ ଦୋଷୀଙ୍କୁ ଛଡା ଯିବ ନାହିଁ। ପୋଲିସ ପାଇଁ ଆଉ ଏକ ମୁଣ୍ଡ ବିନ୍ଧାର କାରଣ ନକଲି ଇଞ୍ଜେକ୍ସନ କିଣିଥିବା ରୋଗୀଙ୍କ ସନ୍ଧାନ କରିପାରୁନାହିଁ। କାରଣ ହସ୍ପିଟାଲ୍‌ରେ ସେମାନଙ୍କର କୌଣସି ରେକର୍ଡ ରଖାଯାଇନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.