ଭୁବନେଶ୍ବରରେ ୯୦ ଦିନରେ ୮୬ ଆତ୍ମହତ୍ୟା: ଲକଡାଉନ୍‌ରେ ବଢ଼ିଛି ଜୀବନ ପ୍ରତି ବିତୃଷ୍ଣା, ଗତ ବର୍ଷଠୁ ଆତ୍ମହତ୍ୟା ହାର ୫୦% ବେଶି

Published By : Prameya-News7 Bureau | August 20, 2020 IST

ଭୁବନେଶ୍ବର୨୦/୮: ତିନିମାସ ଲକଡାଉନରେ ରାଜଧାନୀରେ ୮୬ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ମାନସିକ ଚାପ, ଆର୍ଥିକ ଚିନ୍ତା ପାଲଟିଛି ଆତ୍ମହତ୍ୟାର ପ୍ରମୁଖ କାରଣ। ଏପ୍ରିଲ, ମେ, ଜୁନ ଏହି ତିନି ମାସରେ ଗତ ବର୍ଷ ତୁଳନାରେ ରାଜଧାନୀରେ ୫୦ ପ୍ରତିଶତ ଆତ୍ମହତ୍ୟା ବଢ଼ିଛି । କମିଶନରେଟ୍ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ତଥ୍ୟ ଭିତ୍ତିକ ରିପୋର୍ଟ ମୁଣ୍ଡ ବିନ୍ଧା ବଢାଇ ଦେଇଛି । ୨୦୧୯ ଏପ୍ରିଲ, ମେ, ଜୁନ ଭୁବନେଶ୍ବରରେ ଆତ୍ମହତ୍ୟା ସଂଖ୍ୟା ଥିଲା ୫୭ । ସେହିପରି ୨୦୧୮ ଏହି ସଂଖ୍ୟା ୪୫ରେ ଥିଲା ସୀମିତ । ହଠାତ୍ ଗତ ବ​‌ର୍ଷ ତୁଳନାରେ ୫୦ ପ୍ରତିଶତ ଆତ୍ମହତ୍ୟା ପଛରେ କରୋନା ଜନିତ ମହାମାରୀ ପରିସ୍ଥିତର ଏକ ବଡ ଭୂମିକା ରହିଛି ବୋଲି କୁହାଯାଉଛି ।

କମିଶନରେଟ ପୋଲିସର ତଥ୍ୟ ଅନୁସାରେ ଗତ ତିନିମାସରେ ଆତ୍ମହତ୍ୟା କରିଥିବା ୮୬ ଜଣଙ୍କ ଭିତରୁ ୭୦ ଜଣଙ୍କ ବୟସ ୨୫ ରୁ ୩୫ ବର୍ଷ । ଏତେ ସଂଖ୍ୟାରେ ଆତ୍ମହତ୍ୟା କରିବାର ଅନେକ କାରଣ ରହିଛି । ବେକାରୀ ସମସ୍ୟା, ପାରିବାରିକ କଳହ, ହତୋତ୍ସାହ ବା ଉଦାସୀନତା ଭଳି କିଛି ପ୍ରମୁଖ କାରଣ ଥିବା ପୋଲିସ ତଦନ୍ତୁରୁ ଜାଣିବାକୁ ପାଇଛି । ବିଶେଷ କରି ଯୁବ ପିଢୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣାତା ବୃଦ୍ଧି ପାଉଥିବା ପୋଲିସ ରେକର୍ଡ କହୁଛି । ସେପଟେ ଆତ୍ମହତ୍ୟା କରିଥିବା ଲୋକଙ୍କ ଭିତରେ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ପାଠ ପଢାରେ ଚାପ ମଧ୍ୟ ଅନ୍ୟ ଏକ କାରଣ ବୋଲି କହୁଛନ୍ତି ବିଶେଷଜ୍ଞ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.