ଚୀନକୁ ଜୋରଦାର ଝଟକା, ଏକ ସଙ୍ଗେ ଇସ୍ତଫା ଦେଲେ ୯୦ ପରମାଣୁ ବୈଜ୍ଞାନିକ

Published By : Prameya-News7 Bureau | July 25, 2020 IST

ବେଜିଂ ୨୫।୦୭: ଚୀନର ସରକାରୀ ପରମାଣୁ ସଂସ୍ଥା ଦ ଇନଷ୍ଟିଚ୍ୟୁୟଟ୍ ଅଫ ନ୍ୟୁକ୍ଲିୟର ଏନର୍ଜି ସେଫ୍ଟି ଟେକ୍ନୋଲୋଜି(ଆଇନେଷ୍ଟ)ରେ କାମ କରୁଥିବା ୯୦ରୁ ଅଧିକ ବୈଜ୍ଞାନିକ ଇସ୍ତଫା ଦେଇଛନ୍ତି। ଏହା ପରେ ଅଡୁଆରେ ପଡିଥିବା ସରକାର ଏହାକୁ ବ୍ରେନ୍ ଡ୍ରେନ ମାନି ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି। ଏତେ ବଡ ସଂଖ୍ୟାରେ ବୈଜ୍ଞାନିକଙ୍କ ଇସ୍ତଫା ପରେ ଏହି ସଂସ୍ଥାକୁ ଚଲାଇବା ପାଇଁ ସରକାରଙ୍କ ପାଖରେ ବହୁତ କମ ବୈଜ୍ଞାନିକ ରହିଛନ୍ତି।

ଇସ୍ତଫା ଦେବାରେ ରହିଛି ଅନେକ କାରଣ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,  ବୈଜ୍ଞାନିକଙ୍କ ଇସ୍ତଫା ଦେବାର ଅନେକ କାରଣ ରହିଛି। ଏଥିରେ ସେମାନଙ୍କ ବେତନରେ ଗଡବଡ ଓ ସରକାରୀ ସୁବିଧାସୁଯୋଗରେ ଅଭାବ ପ୍ରମୁଖ ପ୍ରସଙ୍ଗ ଭାବେ ସାମିଲ। ଅନ୍ୟପଟେ ଚୀନର କମ୍ୟୁନିଷ୍ଟ ପାର୍ଟି ଏହି ସଂସ୍ଥା ଉପରେ ନିଜର ପୂରା ଅଧିକାର ଜମାଇ ରଖିଛି। କୁହାଯାଉଛି ପାର୍ଟିର ବଡ ନେତା ଜବରଦସ୍ତି ବୈଜ୍ଞାନିକଙ୍କ ଜରିଆରେ କାମ କରାଇବାକୁ ଚାହୁଁଛନ୍ତି।

ଚୀନର ଦ ଇନଷ୍ଟିଚ୍ୟୁୟଟ୍ ଅଫ ନ୍ୟୁକ୍ଲିୟର ଏନର୍ଜି ସେଫ୍ଟି ଟେକ୍ନୋଲୋଜି(ଆଇନେଷ୍ଟ) ସଂସ୍ଥା ହାଫି ଇନଷ୍ଟିଚ୍ୟୁୟଟ ଅଫ ଫିଜିକାଲ ସାଇନ୍ସ(ଚାଇନିଜ୍ ଏକାଡେମୀ ଅଫ ସାଇନ୍ସ) ଅନ୍ତର୍ଗତ କାମ କରିଥାଏ। ଆଇନେଷ୍ଟର ପାରାଟିଙ୍ଗ ସଂସ୍ଥା ଚାଇନିଜ ଏକାଡେମୀ ଅଫ ସାଇନ୍ସର ଶୀର୍ଷ ପଦରେ କମ୍ୟୁନିଷ୍ଟ ପାର୍ଟିର ନେତା ରହିଛନ୍ତି। ଉକ୍ତ ଅଧିକାରୀ ନିଜର ମନମୁଖୀ କାର୍ଯ୍ୟ ଚଳାଇଛନ୍ତି। ଏପରିକି ବୈଜ୍ଞାନିକଙ୍କୁ ସେମାନଙ୍କର ପ୍ରକଳ୍ପ ପାଇଁ ଆବଶ୍ୟକ ପରିମାଣରେ ଅର୍ଥ ଦିଆଯାଉ ନାହିଁ।

ଅଧିକାଂଶ ଗବେଷକଙ୍କ ପାଖରେ ରହିଛି ପିଏଚଡି ଡିଗ୍ରୀ

ସଂସ୍ଥାର ଓ୍ଵେବ୍‌ସାଇଟ୍‌ ଅନୁଯାୟୀ, ମଧ୍ୟ ଚୀନର ଅନହୁଇ ପ୍ରାନ୍ତର ରାଜଧାନୀ ହେକେଇରେ ସ୍ଥିତ ଆଇନେଷ୍ଟ ଦେଶରେ ବୈଜ୍ଞାନିକଙ୍କ ଏକ କେନ୍ଦ୍ରସ୍ଥଳୀ ଭାବେ ପରିଚିତ। ଏହି ସଂସ୍ଥାରେ ପ୍ରାୟ ୬୦୦ ସଦସ୍ୟ ଓ ୮୦ ପ୍ରତିଶତ ଗବେଷକଙ୍କ ପାଖରେ ପିଏଚଡି ଡିଗ୍ରୀ ରହିଛି। ଏଠାକାର ଅନେକ ବୈଜ୍ଞାନିକ ଚୀନର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶ୍ଵ ବିଦ୍ୟାଳୟର ସ୍ନାତକ ଅଟନ୍ତି। ଯାହାଙ୍କ ହାରାହାରି ବୟସ ପାଖାପାଖି ୩୧ ବର୍ଷ ରହିଛି।

ଜଣେ ଚୀନୀ ଅଧିକାରୀଙ୍କ ଅନୁଯାୟୀ, ଦିନ ଥିଲା ଏହି ସଂସ୍ଥାରେ ୫୦୦ ବୈଜ୍ଞାନିକ କାମ କରୁଥିଲେ। ଗତ ଅନେକ ବର୍ଷ ହେବ ବଡ ସଂଖ୍ୟାରେ ବୈଜ୍ଞାନିକ ଇସ୍ତଫା ଦେଇ ସାରିଲେଣି। ଅବସ୍ଥା ଏମିତି ଯେ, ଏଠାରେ ବର୍ତ୍ତମାନ କେବଳ ୧୦୦ ବୈଜ୍ଞାନିକ ହିଁ ବଳକା ଅଛନ୍ତି। ଏହି ବୈଜ୍ଞାନିକଙ୍କ ମାସିକ ବେତନ ପ୍ରାୟ ୧୦ ହଜାର ୟୁଆନ(୧୪୩୦ ଡଲାର) ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.