ବିବାହର ୯ ବର୍ଷ ପରେ ଜାଣିଲେ ସେ ମହିଳା ନୁହନ୍ତି ପୁରୁଷ!

Published By : Prameya-News7 Bureau | June 26, 2020 IST

କୋଲକାତା ୨୬।୬:  ତିରିଶ ବର୍ଷ ଧରି ବେଶ ସାଧାରଣ ଜୀବନ ବଞ୍ଚିଥିବା ଜଣେ ବ୍ୟକ୍ତିଙ୍କ ଠାରେ  କୋଲକାତାର ଡାକ୍ତରମାନେ ବିରଳ ରୋଗରେ ଚିହ୍ନଟ କରିଛନ୍ତି।  ପ୍ରାୟ ୨୨ ହଜାର  ଲୋକଙ୍କ ମଧ୍ୟରୁ ହୁଏତ ଏପରି ଜଣେ ଥାଇପାରନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ବ୍ୟକ୍ତି ଜଣେ ମହିଳା ଭଳି ପରିବାରରେ ବଞ୍ଚିଥିଲେ ଓ ବିବାହ ମଧ୍ୟ କରିଥିଲେ, ହେଲେ ବାହାଘରର ୯ ବର୍ଷ ପର୍ଯ୍ୟନ୍ତ ଜାଣି ନଥିଲେ ସେ ଜଣେ ପୁରୁଷ ବୋଲି।

 ତଳି ପେଟରେ ଅସହ୍ୟ ଯନ୍ତ୍ରଣାର କେଉଁଠାରେ ଚିକିତ୍ସା ହୋଇ ନପାରିବାରୁ ବୀରଭୂମ ଜିଲ୍ଲାର ଏହି ବ୍ୟକ୍ତି କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ କର୍କଟ ହସ୍ପିଟାଲକୁ ଚିକିତ୍ସା ଲାଗି ଆସିଥିଲେ। ଡାକ୍ତରମାନେ ପରୀକ୍ଷା ନିରୀକ୍ଷା କରିବା ବେଳେ ଏହା ଜଣାପଡିଥିଲା। ବ୍ୟକ୍ତିଙ୍କ ରୋଗ ଚିହ୍ନଟ ପରେ ତାଙ୍କର ୨୮ ବର୍ଷ ବୟସ୍କା ଭଉଣୀଙ୍କର ମଧ୍ୟ ଯାଞ୍ଚ ହୋଇଥିଲା ତାଙ୍କ ଠାରେ ମଧ୍ୟ  "ଆଣ୍ଡ୍ରୋଜେନ୍ ଇନସେନ୍ସିଟିଭିଟି ସିଣ୍ଡ୍ରୋମ" ଚିହ୍ନଟ  ହୋଇଛି। ଅର୍ଥାତ ଜଣେ ବ୍ୟକ୍ତି ଜେନେଟିକ୍ ପୁରୁଷ କିନ୍ତୁ ତାଙ୍କଠାରେ ମହିଳାଙ୍କର ସମସ୍ତ ଶାରୀରିକ ଗୁଣ ରହିଛି।

ଡାକ୍ତର ଅନୁପମ ଦତ୍ତ ଓ ଡାକ୍ତର ସୋମେନ ଦାସ ଚିକିତ୍ସା ସମୟରେ ସେମାନଙ୍କର ପ୍ରକୃତ ପରିଚୟ ପାଇଥିଲେ। ସେମାନେ ରୂପରେ ଜଣେ ଜଣେ ମହିଳା ଥିଲେ ଏପରିକି  ସେମାନଙ୍କର କଣ୍ଠ ସ୍ୱର ଠାରୁ ଆରମ୍ଭ କରି ଶାରୀରିକ ବିକାଶ ସବୁକିଛି ମହିଳାର ହେଲେ ଜନ୍ମରୁ ତାଙ୍କ ଠାରେ ଗର୍ଭାଶୟ ଏବଂ ଡିମ୍ବାଣୁର ଅନୁପସ୍ଥିତ ଥିଲା।  ସେ ଦୀର୍ଘ ଯୌବନରେ ମହିଳାଙ୍କ ମାସିକ ଋତୁସ୍ରାବ ମଧ୍ୟ ଅନୁଭବ କରିନାହାଁନ୍ତି।

ତେବେ ବାୟୋପସି ପରେ  ସେ ଟେଷ୍ଟିକୁଲାର କର୍କଟରେ ଆକ୍ରାନ୍ତ ଥିବା ଜଣାପଡିଥିଲା।  ଯାହାକୁ  ସାଧାରଣତଃ ସେମିନୋମା ମଧ୍ୟ କୁହାଯାଏ ବୋଲି  ଡା. ଦତ୍ତ କହିଛନ୍ତି।  ବର୍ତ୍ତମାନ ତାଙ୍କର କେମୋଥେରାପି ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.