୯ବର୍ଷର ବାଳକକୁ ଚାପିଦେଲା ଟ୍ରକ୍, ଘଟଣାସ୍ଥଳରେ ଉତ୍ତେଜନା
30/01/2020 at 11:01 AM

ନୟାଗଡ ୩୦।୧: ସରସ୍ଵତୀ ପୂଜାରେ ଅଘଟଣ । ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ୫୭ନଂ ଜାତୀୟ ରାଜପଥର ସୁବଳୟାରେ ଟ୍ରକ୍ ଧକ୍କାରେ ୯ ବର୍ଷର ବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଭଙ୍କର ବିଶ୍ବାଳ । କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ମାଲ୍ ବୋଝେଇ ଟ୍ରକ୍ଟି ଦଶପଲ୍ଲା ଆଡକୁ ଯାଉଥିବା ବେଳେ ଘର ସମ୍ମୁଖ ରାସ୍ତା କଡରେ ଠିଆ ହୋଇଥିବା ଶୁଭଙ୍କରଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ଶୁଭଙ୍କରଙ୍କ ମୃତ୍ୟୁ ହୋଇଛି । ଉତ୍ୟକ୍ତ ଲୋକମାନେ ଡ୍ରାଇଭରକୁ କାବୁକରି ପ୍ରବଳ ମାଡ ମାରିଥିଲେ । ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ କବଳରୁ ଡ୍ରାଇଭରକୁ ଉଦ୍ଧାର କରିଛି ।

୨୦ଲକ୍ଷ ଟଙ୍କା କ୍ଷତିପୂରଣ ସହ ଗାଡି ମାଲିକଙ୍କୁ ଆଣିବା ପାଇଁ ଲୋକମାନେ ଦାବି କରୁଥିବା ବେଳେ ଘଟଣାସ୍ଥଳରେ ଦଶପଲ୍ଲା ତହସିଲଦାର ଏବଂ ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପ୍ରାୟ ତିନି ଘଣ୍ଟା ପରେ ରାସ୍ତା ଅବରୋଧ ହଟିଛି । ଗାଡି ମାଲିକ ୫୦ହଜାର ଏବଂ ପ୍ରଶାସନ ୨୦ହଜାର ଟଙ୍କା ଦେବା ସହ କ୍ଷତିପୂରଣ କେସ୍ ଚାଲିବ ବୋଲି ପ୍ରଶାସନ ତରଫରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା ।