ଗୁରପତବନ୍ତ ସିଂହ ପନ୍ନୁ ଏବଂ ବଧାଓ୍ବା ସମେତ ୯ ବିଚ୍ଛିନ୍ନତାବାଦୀ ନେତା ଆତଙ୍କବାଦୀ ଘୋଷିତ,ଗୃହ ମନ୍ତ୍ରଣାଳୟ ଜାରି କଲେ ବିଜ୍ଞପ୍ତି

Published By : Prameya-News7 Bureau | July 02, 2020 IST

ନୂଆଦିଲ୍ଲୀ ୨/୭: ଗୃହ ମନ୍ତ୍ରଣାଳୟ ଶିଖସ୍ ଫର ଜଷ୍ଟିସର ଗୁରପତବନ୍ତ ସିଂହ ପନ୍ନୁ ଏବଂ ବବ୍ବର ଖାଲସା ଇଣ୍ଟରନ୍ୟାସନାଲର ନେତା ବଧାଓ୍ବା ସିଂହ ସମେତ ୯ଜଣଙ୍କୁ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେବା ପାଇଁ ଆତଙ୍କବାଦୀ ଘୋଷିତ କରାଯାଇଛି।

ମନ୍ତ୍ରଣାଳୟ ତରଫରୁ ବୁଧବାର ଜାରି ହୋଇଥିବା ବୟାନ ଅନୁସାରେ,ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଶିଖ ୟୁଥ ଫେଡେରେସନର ମୁଖ୍ୟ ଲଖବୀର ସିଂହଙ୍କୁ ମଧ୍ୟ ଆତଙ୍କବାଦୀ ତାଲିକାରେ ରଖାଯାଇଛି। ଏହି ୯ଜଣଙ୍କୁ ବେଆଇନ୍ ଗତିବିଧି ଅଧିନିୟମ ଅନୁସାରେ ଆତଙ୍କବାଦୀ ଘୋଷିତ କରାଯାଇଛି। ଏହି ୯ଜଣ ସୀମା ପାର ଏବଂ ବିଦେଶରୁ ଆତଙ୍କବାଦୀ ସହ ଜଡ଼ିତ ଭିନ୍ନ ଭିନ୍ନ ଗତିବିଧିରେ ସାମିଲ ଥିଲେ। ଦେଶରେ ଅଶାନ୍ତି ଚାଲିଥିବାବେଳେ ଏହି ଆତଙ୍କବାଦୀମାନେ ପଞ୍ଜାବରେ ଉଗ୍ରବାଦୀ କାର୍ଯ୍ୟକଳାପ ଘଟାଉଥିଲେ ଏବଂ ଖଲିସ୍ତାନ ଆନ୍ଦୋଳନକୁ ପ୍ରଶ୍ରୟ ଦେଇଥିଲେ। ଗତ ବର୍ଷ ସେପ୍ଟେମ୍ବର ମାସରେ ଏହି ଅଧିନିୟମକୁ ଲାଗୁ କରି କେନ୍ଦ୍ର ସରକାର ମୌଲାନା ମସୁଦ ଅଜହର,ହାଫିଜ ସଇଦ,ଜକି-ଉର-ରହମାନ ଲଖଓ୍ବି ଏବଂ ଦାଉଦ ଇବ୍ରାହିମଙ୍କୁ ଆତଙ୍କବାଦୀ ଘୋଷିତ କରିଥିଲେ।

ଆମେରିକା ସ୍ଥିତ ଶିଖସ୍ ଫର ଜଷ୍ଟିସ୍ ସଙ୍ଗଠନର ଆଇନଗତ ପରାମର୍ଶଦାତା ଗୁରୁପତବନ୍ତ ସିଂହ ପନ୍ନୁ ଏବେ ସମ୍ଭବତଃ ସବୁଠୁ ଅଧିକ ମୁଖର ଭାରତ-ବିରୋଧୀ। ସେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିବାରେ ଅଧିକ ସକ୍ରିୟ। ସେ ଭାରତର ଶିଖ୍ ଯବାନଙ୍କୁ ଲୋଭ ଦେଖାଇ ଉସୁକାଇବାକୁ ଉଦ୍ୟମ କରିଥିଲେ ତଥା ଲଦାଖରେ ଅଶାନ୍ତିକୁ ଧ୍ୟାନରେ ରଖି ଚୀନର ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଚୀନ ପକ୍ଷକୁ ପ୍ରଶଂସା କରିଥିଲେ। ପନ୍ନୁ ପ୍ରତିଦିନ ଭାରତ ବିରୋଧରେ କୌଣସି ନା କୌଣସି ଷଡ଼ଯନ୍ତ୍ର ରଚିବାରେ ସଂଲିପ୍ତ ରହୁଥିଲେ। ଭାରତ ସମେତ ବିଶ୍ବବ୍ୟାପି ଶିଖମାନେ ପନ୍ନୁଙ୍କ ଭାରତ ବିରୋଧୀ ଆଚରଣକୁ କଡ଼ା ବିରୋଧ କରିଛନ୍ତି।

ଘୋଷିତ ହୋଇଥିବା ୯ଜଣ ଆତଙ୍କବାଦୀଙ୍କ ନାଁ :

୧. ଗୁରୁପତବନ୍ତ ସିଂହ ପନ୍ନୁ(ଶିଖସ୍ ଫର ଜଷ୍ଟିସ୍ ଆମେରିକା)

୨. ବଧାଓ୍ବା ସିଂହ(ଚିଫ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ପାକିସ୍ତାନ)

୩. ପରମଜିତ ସିଂହ(ଚିଫ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ବ୍ରିଟେନ୍)

୪. ଲଖବୀର ସିଂହ( ଚିଫ ଇଣ୍ଟରନ୍ୟାସନାଲ୍ ଶିଖ ୟୁଥ ଫେଡେରେସନ ପାକିସ୍ତାନ)

୫. ରଣଜିତ ସିଂହ(ଖଲିସ୍ତାନ ଜିନ୍ଦାବାଦ ଫୋର୍ସ ପାକିସ୍ତାନ)

୬. ପରମଜିତ ସିଂହ ପଞ୍ଜଓ୍ବଡ଼(ଖଲିସ୍ତାନ କମାଣ୍ଡୋ ଫୋର୍ସ ପାକିସ୍ତାନ)

୭. ଭୂପିନ୍ଦର ସିଂହ ଭିଣ୍ଡା(ଖଲିସ୍ତାନ ଜିନ୍ଦାବାଦ ଫୋର୍ସ ଜର୍ମାନୀ)

୮. ଗୁରମିତ ସିଂହ ବଗ୍ଗା(ଖଲିସ୍ତାନ ଜିନ୍ଦାବାଦ ଫୋର୍ସ ଜର୍ମାନୀ)

୯. ହରଦୀପ ସିଂହ ନିଜର( ଚିଫ ଖଲିସ୍ତାନ ଟାଇଗର ଫୋର୍ସ କାନାଡ଼ା)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.