ପାଓ୍ବାର ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ : ଭିତରେ ଫସିଛନ୍ତି ୯ଜଣ କର୍ମଚାରୀ,ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | August 21, 2020 IST

ତେଲେଙ୍ଗାନା ୨୧/୮: ତେଲେଙ୍ଗାନାର ମେହବୁବନଗର ଜିଲ୍ଲାରେ ସ୍ଥିତ ଶ୍ରୀଶୈଳମ୍ ଏଡମା ଗଟ୍ଟୁ ଜଳବିଦ୍ୟୁତ୍ କେନ୍ଦ୍ରରେ ସର୍ଟ ସର୍କିଟ ଯୋଗୁଁ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଏଠାରୁ ପ୍ରବଳ ମାତ୍ରାରେ ଧୂଆଁ ଏବଂ ନିଆଁଧାସ ବାହାରୁଛି। କର୍ମଚାରୀ ସିଜଫାୟର ଦ୍ବାରା ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ବିଫଳ ହୋଇଥିଲେ।

ସୂଚନା ଅନୁଯାୟୀ ୧୦ଜଣ ଲୋକ ବାହାରକୁ ବାହାରି ପାରିଛନ୍ତି। ଏବେ ବି ୯ଜଣ ଭିତରେ ଫସିଛନ୍ତି। ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରାଯାଉଛି। ବାହାରକୁ ବାହାରିଥିବା ୬ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ସୂଚନା ମିଳିବା ମାତ୍ରେ ତେଲେଭ୍ଗାନାର ବିଦ୍ୟୁତ୍ ଶାଖା ମନ୍ତ୍ରୀ ଜଗଦୀଶ୍ବର ରେଡ୍ଡି ଏବଂ ସ୍ଥାନୀୟ ବିଧାୟକ ଗୁବ୍ବଲା ବାଳରାଜୁ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ଏହି ଲୋକମାନେ ଘଟଣା ବିଷୟରେ ଅଧିକାରୀଙ୍କ ସହ ଚର୍ଚ୍ଚା କରୁଛନ୍ତି।

ଗତ ୫୦ଦିନରୁ ଜଳବିଦ୍ୟୁତ୍ ଉତ୍ପତ୍ତି କରାଯାଉଥିଲା। କୁହାଯାଉଛି ଯେ ଜଳବିଦ୍ୟୁତ୍ କେନ୍ଦ୍ରର ପ୍ରଥମ ୟୁନିଟରେ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ମୋଟ ୪ଟି ପ୍ୟାନେଲ୍ କ୍ଷତିଗ୍ରସ୍ତ ହୋଇଛି।

ପୋଲିସ୍,ଫାୟର ସେଫ୍ଟି,ଏନଡିଆରଏଫ ଟିମ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛି। ୩ଥର ବିସ୍ଫୋରଣ ହୋଇଥିବାର ଶବ୍ଦ ଶୁଣାଯାଇଛି। ଅନେକ ଧୂଆଁ ବାହାରିବା ଯୋଗୁଁ ଭିତରକୁ ଯିବାକୁ ସମସ୍ୟା ହେଉଛି।

ମାଟି ଭିତରେ ସୁଡ଼ଙ୍ଗ ହେବା ଯୋଗୁଁ ଧୂଆଁ ବାହାରକୁ ବାହାରି ପାରିନାହିଁ। ଏହା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ହେଉଛି। ଏବେ ବି ନିଆଁ ଲିଭିନାହିଁ। ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଏହି ବିସ୍ଫୋରଣ ରାତି ପାଖାପାଖି ୧୦.୩୦ରେ ହୋଇଛି। ଜଳ ବିଦ୍ୟୁତ୍ କେନ୍ଦ୍ରରେ କାମକୁ ରୋକି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.