କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଦେଶନାମା: କଣ ସେହି ୯ଟି ନିୟମ….
16/04/2020 at 9:18 PM

ଭୁବନେଶ୍ବର୧୬/୪: କଣ୍ଟେନମେଣ୍ଟ ଜୋନ୍ ପାଇଁ ନିର୍ଦ୍ଦେଶନାମା । ନିର୍ଦ୍ଦେଶନାମା ପାଳନ କରିବାକୁ ପୋଲିସ ଡି.ଜି.ଙ୍କ ସମେତ ସବୁ ସଚିବ, ଜିଲ୍ଲାପାଳ, ମ୍ୟୁନିସିପାଲଟି ଏବଂ ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଏଥି ପାଇଁ ୯ଟି ନିୟମ ପାଳନ କରାଯିବ । ଜିଲ୍ଲା ଏବଂ ମ୍ୟୁନିସିପାଲ ସ୍ତରରେ କଣ୍ଟେନକେଣ୍ଟ ଜୋନ୍ ଘୋଷଣା କରିବାର କ୍ଷମତା କେବଳ ସ୍ବାସ୍ଥ୍ୟ ବିଭାଗକୁ ଦିଆଯାଇଛି ।କଣ୍ଟେନମେଣ୍ଟ ଜୋନ୍ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା । କେଉଁଠି, କେଉଁ ପରିସ୍ଥିତିରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ସେନେଇ ପ୍ରସ୍ତୁତ ହୋଇଛି ଗାଇଡ୍ ଲାଇନ୍ । ଏଥିପାଇଁ ୯ ଟି ନିୟମ କରାଯାଇଛି ।
ଗାଇଡ୍ ଲାଇନ୍ -୧- ଜିଲ୍ଲା କିମ୍ବା ମ୍ୟୁନିସିପାଲ ସ୍ତରରେ କେଉଁଠି କଣ୍ଟେନମେଣ୍ଟ ଜୋନ ଘୋଷଣା ହେବ ସେ କ୍ଷମତା କେବଳ ସ୍ବାସ୍ଥ୍ୟ ବିଭାଗର । ଜିଲ୍ଲାସ୍ତରରୁ ସୂଚନା ପରେ ସ୍ବାସ୍ଥ୍ୟ ବିଭାଗ ଏଥି ପାଇଁ ବିଜ୍ଞପ୍ତି ପ୍ରକାଶ କରିବ ।
ଗାଇଡ୍ ଲାଇନ୍ -୨- କଣ୍ଟେନମେଣ୍ଟ ଜୋନର ସଂକ୍ରମଣ ରୋକିବା ଏବଂ ଆଇସୋଲେଟ କରିବା ପାଇଁ ଏହା ଉଦ୍ଦିଷ୍ଟ ଅଟେ।
ଗାଇଡ୍ ଲାଇନ୍-୩- କଣ୍ଟେନମେଣ୍ଟ ଜୋନକୁ ଚାରିପଟୁ ଘେରାବନ୍ଦି କରାଯିବ ।ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ରହିବ। ବୟସ୍କ ବ୍ୟକ୍ତି, ଗର୍ଭବତୀ, ଦିବ୍ୟାଙ୍ଗ ଓ ଏକାକୀ ରହୁଥିବା ମହିଳାଙ୍କ ଘରକୁ ଚିହ୍ନଟ କରାଯିବ ।
ଗାଇଡ୍ ଲାଇନ୍ -୪ – କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଏବଂ ଶିକ୍ଷକ ମାନଙ୍କ ଏକ ଟିମ୍ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟଅବସ୍ଥା ବୁଝିବେ । ସେମାନଙ୍କ କାର୍ଯ୍ୟ ତଦାରଖ କରିବେ ମେଡିକାଲ ଅଫିସର । ଏଥି ପାଇଁ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ RMRC ।
ଗାଇଡ୍ ଲାଇନ୍ -୫- କଣ୍ଟେନମେଣ୍ଟ ଜୋନରେ ବିଶୋଧନ କାର୍ଯ୍ୟ ଜିଲ୍ଲାପାଳ କିମ୍ବା ପୌର ଅଧିକାରୀ ତଦାରଖରେ କରାଯିବ ।
ଗାଇଡ୍ ଲାଇନ୍ -୬- କଣ୍ଟେନମେଣ୍ଟ ଅଞ୍ଚଳରେ – ରାସନ, ପରିବା, ଔଷଧ ଇତ୍ୟାଦି କିଭଳି ଲୋକଙ୍କ ଘରେ ପହଁଞ୍ଚିବ ସେଥି ପାଇଁ ଅଧିକାରୀମାନେ ଧ୍ୟାନଦେବେ ।
ଗାଇଡ୍ ଲାଇନ୍ -୭- କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ରହୁଥିବା ବୁଦ୍ଧିଜୀବୀଙ୍କୁ ନେଇ ଏକ ହ୍ବାଟସ୍ଆପ୍ ଗ୍ରୁପ୍ କରାଯିବ । କେତେ ଜଣଙ୍କ ନମୁନା ପରୀକ୍ଷା ହେଲା, କଣ ଫଳ ଆସିଲା ଆଦି ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ।
ଗାଇଡ୍ ଲାଇନ୍ -୮- ସଂପୃକ୍ତ ଅଞ୍ଚଳରେ କ’ଣ କାର୍ଯ୍ୟ ଚାଲିଛି ସେନେଇ ଟିଭି, ପ୍ରଚାରପତ୍ର, ହ୍ବାଟସ ଆପ୍ , ଲାଉଡ ସ୍ପିକର ଜରିଆରେ ଲୋକଙ୍କୁ ଅବଗତ କରାଯିବ।
ଗାଇଡ୍ ଲାଇନ୍ -୯- ଯଦି ଦୁଇ ରାଉଣ୍ଡ ସର୍ଭେ ପରେ କୌଣସି ନୂଆ କେସ୍ ଚିହ୍ନଟ ହେଲା ନାହିଁ ତେବେ ସଂପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ ହଟିବ ।
କରୋନା ଆକ୍ରାନ୍ତ ସଂଖ୍ୟା ଦୃଷ୍ଟିରୁ କେନ୍ଦ୍ର ଘୋଷଣା କରିଥିବା ୧୭୦ ହଟ୍ ସ୍ପଟ୍ ଜିଲ୍ଲା ମଧ୍ୟରୁ ଓଡ଼ିଶାରୁ ରହିଛି ଖୋର୍ଦ୍ଧା ଏବଂ ଭଦ୍ରକ । କୌଣସି ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଗୋଟିଏ ଜିଲ୍ଲାରୁ ଆସିଲେ ତାକୁ ହଟସ୍ପଟ୍ ଜିଲ୍ଲା ବୋଲି କୁହାଯିବ ।ସେହି ଦୃଷ୍ଟିରୁ ଖୋର୍ଧା ରେଡ୍ ଜୋନ୍ ରେ ସାମିଲ ହୋଇଛି। ଭଦ୍ରକ ଜିଲ୍ଲାକୁ କ୍ଲଷ୍ଟର ହଟ୍ ସ୍ପଟ୍ ଶ୍ରେଣୀଭୁକ୍ତ କରାଯାଇଛି। ବିଭିନ୍ନ ଅଞ୍ଚଳକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ଘୋଷଣା କରି ଯେଉଁଥିରେ କ’ଣ କାର୍ଯ୍ୟକ୍ରମ ନିଆଯିବ, କେଉଁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ହେବ, କେଉଁ ଅଞ୍ଚର ବଫର ଜୋନ୍ ହେବ ଏବଂ ସେଠାରେ କିଭଳି କଣ୍ଟାକ୍ଟ ଟ୍ରେସିଂ, କ୍ବାରାଣ୍ଟାଇନ୍, ଚିକିତ୍ସା ଏବଂ ସଚେତନତା ଆଦି କରାଯିବ ସେନେଇ ବ୍ଲୁ ପ୍ରଣ୍ଟ ପ୍ରସ୍ତୁତ କରିଛି କେନ୍ଦ୍ର।