ଦିଲ୍ଲୀ ନିଜାମୁଦ୍ଦିନ ଜମାତରୁ ଆଣ୍ଡାମାନରେ ପହଞ୍ଚିଲା କରୋନା, ଦିଲ୍ଲୀରେ ୨୪ ପଜିଟିଭ୍, ଆଣ୍ଡାମାନରେ ୧୦
31/03/2020 at 3:13 PM

ନୂଆଦିଲ୍ଲୀ ୩୧।୦୩: ସମଗ୍ର ଦେଶରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଲକ୍ଡାଉନ୍ ନିୟମକୁ ଉଲ୍ଲଂଘନ କରି ଦିଲ୍ଲୀର ନିଜାମୁଦ୍ଦୀନ ତବଲିଗି ଜମାତ ମରକଜରେ ମାର୍ଚ୍ଚ ୧୮ରେ ଧାର୍ମିକ ସଭା ଆୟୋଜନ ହୋଇଥିଲା। ଏଥିରେ ସାମିଲ ୯ ଜଣ ଲୋକ ଏବେ ଏହି ମହାମାରୀକୁ ଆଣ୍ଡାମାନ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛନ୍ତି। ଆଣ୍ଡାମାନରେ କରୋନା ଭାଇରସର ୧୦ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏଥିରୁ ୯ ଜଣ ଲୋକ ନିଜାମୁଦ୍ଦିନ ଅଞ୍ଚଳରେ ସ୍ଥିତ ତବଲିଗି ଜମାତର ମରକଜରୁ ଆଣ୍ଡାମାନ ଫେରିଥିଲେ। ଅନ୍ୟପଟେ ୧୦ କରୋନା ପଜିଟିଭ୍ ମଧ୍ୟରେ ୯ ଫେରନ୍ତା ଲୋକଙ୍କର ଜଣେ ପତ୍ନୀ ସାମିଲ। ଏହି ଧାର୍ମିକ ସମାରୋହରେ ସାମିଲ ଲୋକଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଆଣ୍ଡାମାନ-ନିକୋବରର ସ୍ଵାସ୍ଥ୍ୟ ବିଭାଗର ଉପ ନିର୍ଦ୍ଦେଶକ ତଥା କୋଭିଡ ୧୯ର ନୋଡାଲ ଅଫିସର ଅଭିଜିତ ରୟ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଯାଞ୍ଚ କରାଯାଇଥିବା ୯୯ ନମୂନା ମଧ୍ୟରୁ ୧୦ ନମୂନା ପଜିଟିଭ୍ ଆସିଛି। ସେ କହିଛନ୍ତି ଏଥିରୁ ୯ ଜଣ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ତବଲିଗି ଜମାତ ଆୟୋଜନରେ ସାମିଲ ହୋଇ ଆଣ୍ଡାମାନ ଫେରିଥିଲେ। ଦଶମ କରୋନା ସଂକ୍ରମିତ ମହିଳା ଦିଲ୍ଲୀରୁ ଫେରିଥିବା ଲୋକଙ୍କ ମଧ୍ୟରୁ ଜଣେ ରୋଗଙ୍କର ପତ୍ନୀ ହେବେ। ଏହି ୯ ଜଣ ମାର୍ଚ୍ଚ ୨୪ରେ ଅଲଗା ଅଲଗା ବିମାନରେ ଆଣ୍ଡାମାନ ଫେରିଥିଲେ। ନିଜାମୁଦ୍ଦିନରେ ଆୟୋଜିତ ଧାର୍ମିକ ସମାରୋହରେ ପାଖାପାଖି ୩୦୦୦ ଲୋକ ସାମିଲ ହୋଇଥିଲେ।

୭୦୦ ଜଣ କ୍ଵାରେଣ୍ଟାଇନରେ
ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପରେ ମଧ୍ୟ ପ୍ରାୟ ୧୫୦୦ ରୁ ୧୭୦୦ ଲୋକ ଏହି ମରକଜରେ ଥିଲେ। ଏ ପର୍ଯ୍ୟନ୍ତ ଏହି ମରକଜରୁ ୧୦୩୩ ଜଣଙ୍କୁ ବାହାର କରାଯାଇଛି ଏବଂ ବାକି ଲୋକଙ୍କୁ କାଢିବା କାମ ଜାରି ରହିଛି। ବାହାର କରାଯାଇଥିବା ଲୋକଙ୍କ ମଧ୍ୟରୁ ୨୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି। ୩୩୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବାକି ପ୍ରାୟ ୭୦୦ ଲୋକଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି।
ସବୁଠୁ ବଡ କଥା ଏହି ମରକଜର ଯେଉଁ ୬ ମହଲା ବିଶିଷ୍ଟ କୋଠାରେ ଲୋକ ଜମା ଥିଲେ ତାହା ହରଜତ ନିଜାମୁଦ୍ଦୀନ ପୋଲିସ ଥାନା ନିକଟରେ ଅବସ୍ଥିତି। ଅର୍ଥାତ ପୋଲିସର ନାକ ତଳେ ଏସବୁ ହେଉଥିଲା। ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଆୟୋଜକ ଘୋର ଅପରାଧ କାମ କରିଛନ୍ତି। ଦିଲ୍ଲୀ ସରକାର ଆୟୋଜକ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି।