ଜୁସ୍ ସେଣ୍ଟର୍ କର୍ମଚାରୀ କରୋନା ପଜିଟିଭ୍, ଜୁସ୍ ପିଇ ୯ ଜଣ କରୋନା ସଂକ୍ରମିତ : ଜୁସ୍ ସେଣ୍ଟର୍ ସିଲ୍
27/06/2020 at 12:12 PM

କୋଟା ୨୭/୦୬ : ରାଜସ୍ତାନ କୋଟା ସହରରୁ ଏକ ବଡ ଖବର ସାମ୍ନାକୁ ଆସିଛି | କୋଟା ଚୌପାଟି ବଜାରରେ ଥିବା ଏକ ଜୁସ ସେଣ୍ଟରରୁ ଜୁସ ପିଇ ୯ ଜଣ କରୋନା ସଂକ୍ରମଣର ଶୀକାର ହୋଇଛନ୍ତି | ମାମଲା ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି | ଅନଲକ ୧.୦ ରେ ଲକଡାଉନ ନିୟମ କୋହଳ ପରେ ଖାଇବା ପିଇବା ଦୋକାନ, ହୋଟେଲ ଆଦି ଖୋଲାଯାଇଥିଲା | କୋଟାର ଚୌପାଟି ବଜାରରେ ଥିବା ଏକ ଜୁସ ସେଣ୍ଟର ମଧ୍ୟ ଖୋଲିଥିଲା | ଫଳରେ ଜୁସ ପିଇବା ପାଇଁ ଅନେକ ଲୋକ ଜୁସ ସେଣ୍ଟରକୁ ଆସିଥିଲେ | କିଛି ଦିନ ପୂର୍ବରୁ ଜୁସ ସେଣ୍ଟରର ଜଣେ କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ | ତାଙ୍କର କରୋନା ଯାଞ୍ଚ କରାଯାଇଥିଲା | କର୍ମଚାରୀଙ୍କ କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା |

ଏହି ସୂଚନା ପରେ ଚିକିତ୍ସା ବିଭାଗରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ଉକ୍ତ ଜୁସ ସେଣ୍ଟରକୁ ତତକ୍ଷଣାତ ବନ୍ଦ କରିଦିଆଯାଇଥିଲା | ଜୁସ ସେଣ୍ଟର ଖୋଲିବା ପରେ ଯେଉଁମାନେ ସେଠାରେ ଜୁସ ପିଇଥିଲେ ସେ ସମସ୍ତଙ୍କୁ କରୋନା ଯାଞ୍ଚ ଶିବିରରେ ପହଞ୍ଚିବାକୁ ବିଭାଗ ନୋଟିସ ଜାରି କରିଥିଲା | ନୋଟିସ ପରେ ଅନେକ ଲୋକ କରୋନା ଯାଞ୍ଚ କରାଇଥିଲେ | ଯାଞ୍ଚରେ ୨ ମହିଳାଙ୍କ ସମେତ ୯ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା | ଶନିବାର ସୁଦ୍ଧା କୋଟାରେ ସଂକ୍ରମଣ ମାମଲା ୬୨୪ ହୋଇଛି |