ଛଟ୍ ପୂଜା ସାରି ଫେରିଲା ବେଳେ ଧକ୍କା ଦେଲା ଟ୍ରକ୍, ୯ ମୃତ

Published By : Prameya-News7 Bureau | November 11, 2021 IST

କରୀମଗଞ୍ଜ,୧୧/୧୧: ଛଟ୍ ପୂଜା ସାରି ଫେରିବା ବେଳେ ଅଘଟଣ । ଅଟୋ ରିକ୍ସାକୁ ଧକ୍କା ଦେଲା ଟ୍ରକ୍ । ୯ ମୃତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଆସାମର କରୀମଗଞ୍ଜରେ । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ଜଣାପଡିଛି ।

ସୂଚନାନୁସାରେ, ଗୁରୁବାର ସକାଳେ କରୀମଗଞ୍ଜ ଦେଇ ଯାଇଥିବା ୮ ନମ୍ବର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ଛଟ୍ ପୂଜା ସାରି କିଛି ଶ୍ରଦ୍ଧାଳୁ ଏକ ଅଟୋ ରିକ୍ସାରେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ୯ ଜଣ ପ୍ରାଣ ହରାଇଥିଲେ ।

କରୀମଗଞ୍ଜ ଥାନା ଅଧିକାରୀଙ୍କ କହିବାନୁସାରେ, ସହରର ବୈଠାଖାଲ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଦ୍ରୁତ ଗତିରେ ଆସୁଥିଲା । ଫଳରେ ଅଟୋ ରିକ୍ସାକୁ ଏହା ଧକ୍କା ଦେଇଥିଲା । ଏଥିରେ ଅତି କମରେ ୯ ଜଣ ପ୍ରାଣ ହରାଇଛନ୍ତି । ଘଟଣା ପରେ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ମୃତକଙ୍କ ପରିଚୟ ମିଳିନଥିବା ଜଣାପଡିଛି ।

ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦୁଃଖ ପ୍ରକାଶ କରିଛନ୍ତି । ପୋଲିସ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.