ହାଇପ୍ରୋଫାଇଲ୍ ସେକ୍ସ ରାକେଟର ପର୍ଦ୍ଦାଫାଶ : ୯ଦଲାଲ ଗିରଫ
29/06/2019 at 12:42 PM

ମୁମ୍ବାଇ ୨୯/୬: ମୁମ୍ବାଇର ରାୟଗଡ଼ ଜିଲ୍ଲାର ଅଲିବାଗରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଏବଂ ଡ୍ରଗସ୍ ରାକେଟର ପର୍ଦ୍ଦାଫାଶ କରିଛି ରାୟଗଡ଼ ପୋଲିସର ସ୍ଥାନୀୟ କ୍ରାଇମବ୍ରାଞ୍ଚ। ଏହି ମାମଲାରେ ପୋଲିସ ୫ଜଣ ମହିଳାଙ୍କ ସମେତ ୯ଜଣଙ୍କୁ ଗିରଫ କରି ତାଙ୍କ ପାଖରୁ ୨୬ଗ୍ରାମ୍ କୋକେନ ଡ୍ରଗସ୍ ଜବତ କରିଛି। ଏହା ସହିତ ଦେହ ବ୍ୟବସାୟ ପାଇଁ ଅଣାଯାଇଥିବା ୭ଜଣ ମଡେଲଙ୍କୁ ମୁକ୍ତ କରାଯାଇଛି।
ଅଲିବାଗରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ପ୍ରତିଦିନ ଆସିଥାଆନ୍ତି। ଅଲିବାଗରେ ଭଡ଼ାରେ ବଙ୍ଗଳା ନେଇ ସେକ୍ସ ରାକେଟ ଚଳାଇବା ସହ ଡ୍ରଗ୍ସ କାରବାର କରାଯାଉଥିବା ସୂଚନା ପୋଲିସକୁ ଆଗରୁ ମିଳିଥିଲା। ଏହାପରେ ରାୟଗଡ଼ ପୋଲିସର କ୍ରାଇମ ବ୍ରାଞ୍ଚ ସର୍ବପ୍ରଥମେ ରାକେଟ ଚଲାଉଥିବା ରାଖୀ ନୋଟାନୀ ଏବଂ ରଞ୍ଜିତ ସିଙ୍ଗ ଓରଫ ରେଣୁଙ୍କ ନମ୍ବର ବାହାର କରିଥିଲା। ଏହା ପରେ ପୋଲିସ ଚତୁରତାର ସହ ଏମାନଙ୍କ ସହ ସମ୍ପର୍କ କରିବା ସହ ଡିଲ୍ ସ୍ଥିର କରିଥିଲା। ଏହି ମହିଳାମାନେ ପ୍ରଥମେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହିଥିଲେ,ଯେତେବେଳେ ଟଙ୍କା ଜମା କରାଯାଇଥିଲା ସେତେବେଳେ ଅଲିବାଗରେ ବଙ୍ଗଳା ବୁକ୍ କରି ପାର୍ଟିର ଆୟୋଜନ କରାଯାଇଥିଲା। ଏହା ପରେ ପୋଲିସ ଅଧୀକ୍ଷକ ,କ୍ରାଇମ ବ୍ରାଞ୍ଚର ପୋଲିସ୍ ନିରୀକ୍ଷକ ,ସହାୟକ ପୋଲିସ୍ ନିରୀକ୍ଷକ ଏବଂ ପୋଲିସ୍ ଉପନିରୀକ୍ଷକଙ୍କ ସହ ୨୫ଜଣ କର୍ମଚାରୀଙ୍କ ଏକ ଟିମ୍ ଗଠନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ନକଲି ଗ୍ରାହକ କରି ପଠାଯାଇ ଏହି ସେକ୍ସ ରାକେଟ ଏବଂ ଡ୍ରଗସ ରାକେଟର ପର୍ଦ୍ଦା ଫାଶ କରାଯାଇଥିଲା।
ପୋଲିସ୍ ମୁଖ୍ୟ ଅଭିଯୁକ୍ତ ରାଖୀ ନୋଟାନି,ରଞ୍ଜିତ ସିଂହ ଓରଫ ରେଣୁ ସହ ରାଜକମଲ,ନିକେଶ ମୋଦି,ବରୁଣ ଅଦଲଖା,ସଇଦ ଅମୀର ରଜାକ,ସୀମା ସିଙ୍ଗ,ଶ୍ରୃତି ଗାଓକର ଏବଂ ଆରୋହୀ ସିଂହଙ୍କୁ ଗିରଫ କରିଛି। ଏମାନଙ୍କୁ ଯାଞ୍ଚ କରାଯିବା ପରେ ୨୬ଗ୍ରାମ୍ କୋକେନ ମଧ୍ୟ ଜବତ କରାଯାଇଥିଲା। ଏହା ସହିତ ଦେହ ବ୍ୟବସାୟ ପାଇଁ ଅଣାଯାଇଥିବା ୭ଜଣ ଯୁବତୀଙ୍କୁ ମୁକ୍ତ କରାଯିବା ସହ ତାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଅଲିବାଗ କୋର୍ଟରେ ହାଜର କରାଯିବ।