ଲକ୍‌ଡାଉନ୍‌ରେ ମିଳୁନି ମଦ, ଆତ୍ମହତ୍ୟା କଲେ ୯ ଜଣ, ବିବଶ ହୋଇ ଏହି ନିଷ୍ପତ୍ତି ନେବାକୁ ଯାଉଛନ୍ତି ସରକାର

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ ୩୦।୦୩: ପୂରା ଦେଶରେ ଲକ୍‌ଡାଉନ୍‌ କାରଣରୁ ଏବେ ଏକ ନୂତନ ସମସ୍ୟା ମୁଣ୍ଡ ଟେକିଛି। ଗୋଟିଏ ପଟେ କରୋନା ଭାଇରସର ସଙ୍କଟ ଟଳି ନଥିବା ବେଳେ ଅନ୍ୟପଟେ ମଦ ନମିଳିବା କାରଣରୁ ଦେଶର ବିଭିନ୍ନ ଅଞ୍ଚଳରେ ନଅ ଜଣ ଆତ୍ମହତ୍ୟା କରି ସାରିଲେଣି। ଏହା ସ୍ଥାନୀୟ ସରକାର ସମ୍ମୁଖରେ ଏକ ନୂଆ ସମସ୍ୟା ଭାବେ ଉଭା  ହୋଇଛି। ଫଳରେ ଏବେ ରାଜ୍ୟ ସରକାର ବର୍ତ୍ତମାନ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଯଦ୍ଵାରା ମଦ ସହଜରେ ଉପଲବ୍ଧ କରାଯାଇ ପାରିବ।

ସମାଚାର ଏଜେନ୍ସି ପିଟିଆଇ ମୁତାବକ ଲକ୍‌ଡାଉନ୍‌ କାରଣରୁ ଦୋକାନ ବଜାର ସହିତ କାଉଣ୍ଟର ମଧ୍ୟ ବନ୍ଦ। ଫଳରେ ଲୋକଙ୍କୁ ପିଇବାକୁ ମଦ ମିଳି ପାରୁ ନାହିଁ। ଏ ପର୍ଯ୍ୟନ୍ତ କେରଳରେ ପାଞ୍ଚ ଏବଂ କର୍ଣ୍ଣାଟକରେ ମଦ ନମିଳିବା କାରଣରୁ ଚାରି ଜଣ ଆତ୍ମହତ୍ୟା କରି ସାରିଲେଣି। ଡାକ୍ତରଙ୍କ ଅନୁଯାୟୀ ପୂରା ରାଜ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ସବୁ ଦୋକାନ ବନ୍ଦ ହେବାରୁ ସବୁଠୁ ବଡ ପ୍ରଭାବ ମଦ ପିଉଥିବା ଲୋକଙ୍କ ଉପରେ ପଡିଛି।

{"id":246341,"sizeSlug":"large"}

କେରଳ ସରକାର କଲେ ନିୟମରେ ପରିବର୍ତ୍ତନ

ଲକ୍‌ଡାଉନ୍‌ ମଧ୍ୟରେ ଆତ୍ମହତ୍ୟା ଘଟଣା କାରଣୁ କେରଳ ସରକାରଙ୍କୁ ନିୟମରେ ପରିବର୍ତ୍ତନ କରିବାକୁ ବିବଶ ହେବାକୁ ପଡିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, କରୋନା ଭାଇରସରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହାର ପ୍ରତିରୋଧ ପାଇଁ ଲାଗୁ ଲକ୍‌ଡାଉନ୍‌ ସମୟରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଫଳରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ଏବେ ନିଶାଖୋରଙ୍କ ପାଇଁ ଅବକାରୀ ବିଭାଗ ମଦ ଉପଲବ୍ଧ କରାଇବେ। ଏହା  ବ୍ୟତୀତ ରାଜ୍ୟ ସରକାର ମଦ ଯୋଗାଇ ଦେବା ପାଇଁ ଅନଲାଇନ୍ ସେବା ଆରମ୍ଭ କରିବେ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସର ପ୍ରତିରୋଧ ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହି ସମୟରେ କେବଳ ଜରୁରୀ ସେବା ବ୍ୟତୀତ ସମସ୍ତ ଦୋକାନ, ମଲ ଓ ଅନ୍ୟ ସାର୍ବଜନୀନ ସ୍ଥଳ ବନ୍ଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.