ଆଶ୍ରମ ଗୃହରୁ କୁଆଡେ ଗାୟବ ହୋଇଗଲେ ୯ଜଣ ଯୁବତୀ ?

Published By : Prameya-News7 Bureau | December 07, 2018 IST

ଦିଲ୍ଲୀ ୭/୧୨ : ଗତ କିଛି ଦିନ ହେଲା ବିଭିନ୍ନ ଆଶ୍ରୟ ଗୃହରେ ପୋଲିସ ଚଢ଼ାଉ କରୁଛି | ଓଡିଶାର ଢେଙ୍କାନାଳ ଜିଲ୍ଲାରେ ଏକ ସେଲଟର ହୋମରେ ଧରା ପଡିଥିଲା ଯୌନ କେଳେଙ୍କାରୀ ଘଟଣା | ଘଟଣା ସାମ୍ନାକୁ ଆସିବା ପରେ ସେଲଟର ମାଲିକଙ୍କୁ ପୋଲିସ ଗିରଫ କରି ଜେରା କରିଛି | ଓଡିଶାର ବିଭିନ୍ନ ଜିଲ୍ଲାରେ ଚାଲିଥିବା ଏହି ସେଲଟର ହୋମର ବିଭିନ୍ନ ବ୍ରାଞ୍ଚରେ ପୋଲିସ ଚଢ଼ାଉ କରି କୋମଳମତି ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରି ସେଲଟର ହୋମଗୁଡିକୁ ବନ୍ଦ କରିଦେଇଛି | ଦିଲ୍ଲୀର ଦିଲଶାଦ ଗାର୍ଡେନ ସ୍ଥିତ ସଂସ୍କାର ଆଶ୍ରମ ପରିସରର ୩ ନମ୍ବର ଗେଟ ବାହାରେ ସାଧାରଣ ଜନତା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ଜମିଥିଲା | ଗଣମାଧ୍ୟମ ପ୍ରତିନିଧିମାନେ ଏହି ପରିସରରେ ଥିବା ବାଳିକାଙ୍କ ଆଶ୍ରମ ଗୃହ ମଧ୍ୟକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିଲେ | କିନ୍ତୁ ସୁରକ୍ଷାକର୍ମୀଙ୍କ କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ କେହି ଭିତରକୁ ଯାଇପାରୁନଥିଲେ | ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ସୁରକ୍ଷାକର୍ମୀଙ୍କ ନଜର ରହିଥିଲା | ଏହି ଆଶ୍ରମ ଗୃହ ବାହାରେ ସବୁବେଳେ ସୁରକ୍ଷାକର୍ମୀ ଜଗି ବସିଥାନ୍ତି | କିନ୍ତୁ ଡିସେମ୍ବର ୧ ତାରିଖ ଏବଂ ୨ତାରିଖ ରାତିରେ ଏହି ଆଶ୍ରମ ଗୃହରୁ ଅଚାନକ ୯ଜଣ ବାଳିକା ଗାୟବ ହୋଇଗଲେ | ଆଶ୍ରମ ପ୍ରଶାସନ ଏବଂ ସୁରକ୍ଷାକର୍ମୀ କେହି ମଧ୍ୟ ଜାଣିପାରିଲେ ନାହିଁ ଯେ, ଏହି ୯ଜଣ ବାଳିକା କୁଆଡେ ଗଲେ | ୯ ବାଳିକାଙ୍କ ମଧ୍ୟରୁ ଜଣେ ବିହାରର ଏବଂ ଅନ୍ୟ ଜଣ ନେପାଳର ଥିଲେ | ଯିଏ ବିହାରରୁ ଆସିଥିଲେ ସେ ଜଣେ ନାବାଳିକା | ପରଦିନ ସକାଳେ ଯେତେବେଳେ ଆଶ୍ରମରେ ସମସ୍ତ ଯୁବତୀଙ୍କ ହାଜିରା ଲଗାଯାଇଥିଲା ସେତେବେଳେ ଜଣାପଡିଥିଲା ଯେ, ଆଶ୍ରମରୁ ୯ଜଣ ଯୁବତୀ ଗାୟବ ଅଛନ୍ତି | ଏହାପରେ ସମ୍ପୂର୍ଣ ଆଶ୍ରମରେ ତନ୍ନ ତନ୍ନ କରି ଯୁବତୀଙ୍କୁ ଖୋଜ ଯାଇଥିଲା | କିନ୍ତୁ ସେମାନେ ମିଳିନଥିଲେ | ଘଟଣା ସମ୍ପର୍କରେ ସଂକଳ୍ପ ଆଶ୍ରମ ପୋଲିସକୁ ଫୋନ କରି ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ | ଖବର ପାଇ ପୋଲିସ ସଙ୍ଗେସଙ୍ଗେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ଖୋଜାଖୋଜି ପରେ ମଧ୍ୟ ୨ଦିନ ପର୍ଯ୍ୟନ୍ତ ନାବାଳିକାଙ୍କ ସମେତ ୯ ଜଣ ଯୁବତୀଙ୍କ କୌଣସି ପତ୍ତା ମିଳିନଥିଲା | ତେବେ ଘଟଣା ସମ୍ପର୍କରେ ପୋଲିସ ମଧ୍ୟ କୌଣସି ତଥ୍ୟ ପ୍ରକାଶ କରୁନାହିଁ | ସେପଟେ ଆଶ୍ରମ ମାଲିକ ମଧ୍ୟ ଏନେଇ ଚୁପ ଅଛନ୍ତି | ଡିସିପି ମେଘନା ଯାଦବଙ୍କ ସୂଚନା ମୁତାବିକ, ଯୁବତୀମାନେ ଗାୟବ ହେବ ନେଇ ଆଶ୍ରମ ପ୍ରଶାସନଙ୍କ ପାଖରେ କୌଣସି ଖବର ନଥିଲା | ସେହି ୯ଜଣ ଯୁବତୀଙ୍କୁ ଜିବି ରୋଡ଼ ସ୍ଥିତ ରେଡ ଲାଇଟ ଅଂଚଳରୁ ଉଦ୍ଧାର କରାଯାଇଥିଲା | ସେଠାରୁ ଉଦ୍ଧାର କରାଯିବ ପରେ ଯୁବତୀଙ୍କୁ ଦ୍ୱାରିକାର ଏକ ଆଶ୍ରମରେ ରଖାଯାଇଥିଲା ଏବଂ ଗତ ମେ ମାସରେ ସେମାନଙ୍କୁ ଦ୍ୱାରିକାରୁ ଦିଲ୍ଲୀ ସ୍ଥିତ ସଂସ୍କାର ଆଶ୍ରମ ଗୃହକୁ ଅଣାଯାଇଥିଲା | ସୂଚନାଯୋଗ୍ୟ ଯେ, ସେହି ଯୁବତୀମାନଙ୍କୁ ଚାଲାଣ କରାଯାଇଥିଲା | ସେହି ଯୁବତୀମାନେ ପୂର୍ବରୁ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ | ତେବେ ଘଟଣାରେ ଆଶ୍ରମର ସଦସ୍ୟଙ୍କର ମଧ୍ୟ ଯାଞ୍ଚ କରାଯାଉଥିବା ପୋଲିସ ସୂଚନା ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.