ମନ୍ଦିର ପରିସରରୁ ୯ ଫୁଟ ଲମ୍ବର ଅହିରାଜ ଉଦ୍ଧାର
7/08/2020 at 3:46 PM

ସାନଖେମୁଣ୍ଡି ୭।୮: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଚୈତନପୁର ଶାସନ ନନ୍ଦିକେଶ୍ବର ମନ୍ଦିର ପରିସରରୁ ୯ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ମନ୍ଦିର ପୂଜକ ସନ୍ଧ୍ୟା ଆଳତୀ ସାରି ଫେରୁଥିବା ସମୟରେ ହଠାତ୍ ମନ୍ଦିର ହୁଣ୍ଡି ତଳେ ବିରାଟକାୟ ସାପଟିକୁ ଦେଖିଥିଲେ। ଏହାପରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ସ୍ନେକ୍ ହେଲ୍ପ ଲାଇନ୍ ଓ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ।

ବନ ବିଭାଗ ଓ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟମାନେ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ପରିସରରୁ ୯ ଫୁଟ ଲମ୍ବର ଅହିରାଜକୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ସାମନ୍ତିଆପଲ୍ଲୀ ବନପାଳ ରଜତ ମିଶ୍ରଙ୍କ ସହ ସ୍ନେକ୍ ହେଲ୍ପ ଲାଇନ୍ ବ୍ରହ୍ମପୁରର ସଦସ୍ୟ ସ୍ବାଧୀନ କୁମାର ସାହୁ, ଶ୍ରୀକାନ୍ତ ନାହାକ, ତାରା ପ୍ରସାଦ ଦାସ, ସୁଶାନ୍ତ ମହାଙ୍କୁଡ ଏବଂ ବନ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ। ଶେଷରେ ବନପାଳଙ୍କ ନିର୍ଦ୍ଦେଶକ୍ରମେ ଅହିରାଜ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି।