୨ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ବେଳେ ୯ ଗିରଫ

Published By : Prameya-News7 Bureau | September 15, 2018 IST

ବଡ଼ବିଲ ୧୫/୯ : ୨ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ବେଳେ ବଡ଼ବିଲ ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୨ ଟି ବୋମା, ସ୍କୋର୍ପିଓ, ୪ ଟି ବାଇକ୍, ୯ ଟି ମୋବାଇଲ୍ ଏବଂ ମାରଣାସ୍ତ୍ର ଜବତ କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ବଡ଼ବିଲର ସୁନୀଲ ପାତ୍ର ଓରଫ ଟିଟୁ ଗ୍ୟାଙ୍ଗର ୭ ଜଣ ଓ ଝୁମ୍ପୁରା ଥାନା ଅର୍ଶଳା ଅଂଚଳର ୨ ଜଣ, କୁଖ୍ୟାତ ଏମ୍ଡି ମୁଜାଫର୍ ଓ ବିକ୍ରମ ପ୍ରଧାନ ରହିଛନ୍ତି । ଗତକାଲି ରାତିରେ ବଡ଼ବିଲ ନୂଆ ବସଷ୍ଟାଣ୍ଡ ନିକଟରେ ଉଭୟ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ପୋଲିସ ଏମାନଙ୍କୁ ଧରିଥିଲା । ବଡ଼ବିଲ ଥାନାରେ ଏନେଇ ୨ ଟି ପୃଥକ ମାମଲା ରୁଜ୍ଜୁ କରାଯାଇ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ନାମରେ ଅନେକ ପୂର୍ବରୁ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଝୁମ୍ପୁରାର ଏମଡି ମୁଜାଫର୍ ଓ ବିକ୍ରମ ପ୍ରଧାନ ବଡ଼ବିଲର ସୁନୀଲ ପାତ୍ର ଓରଫ ଟିଟୁକୁ ବୋମା ପକାଇ ମାରିବା ପାଇଁ ଏକ ସ୍କୋର୍ପିଓ ଗାଡ଼ିରେ ବଡ଼ବିଲକୁ ଆସିଥିଲେ । ତେବେ ଟିଟୁ ଏହା ଜାଣିପାରିଥିବା ଏବଂ ତାକୁ ଆକ୍ରମଣ ହେବା ପୂର୍ବରୁ ସେ ନିଜ ସହେଯାଗୀଙ୍କ ସହାୟତାରେ ମୁଜାଫର୍ ଓ ବିକ୍ରମକୁ ଅପହରଣ କରି ମାଡ଼ ମାରିବା ସହ ସେମାନଙ୍କ ପରିବାର ଠାରୁୁ ୨ ଲକ୍ଷ ଟଙ୍କା ଦାବି କରିଥିଲା । ତେବେ ଏମାନଙ୍କ ମଧ୍ୟରେ ସଂଘର୍ଷର କାରଣ ପୂର୍ବ ଶତ୍ରତା ହୋଇଥିବା ପୋଲିସ କହିଥିବା ବେଳେ ଗିରଫ ମୁଜାଫର ସୁପାରୀ କଥା କହିଛି । ମୁଜାଫରର କହିବା ଅନୁଯାୟୀ, ୪ ବର୍ଷ ତଳେ ଜଣେ ବ୍ୟକ୍ତି, ଯିଏକି ଝୁମ୍ପୁରା ଅଂଚଳର ଗୁଡୁ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଟିଟୁକୁ ମାରିବା ପାଇଁ ୧୦ ଲକ୍ଷ ଟଙ୍କାର ସୁପାରୀ ଅଫର କରିଥିଲେ । ଟିଟୁକୁ ମାରିଦେଲେ ୧୦ ଲକ୍ଷ ଟଙ୍କା ସେହି ବ୍ୟକ୍ତି ଦେବା ବୋଲି କହିଥିଲା ବୋଲି ମୁଜାଫର କହିଛି । ତେବେ ଏହି କଥାରେ କେତେ ସତ୍ୟତା ରହିଛି ଓ ସେହି ବ୍ୟକ୍ତି ଜଣକ କିଏ, ପୋଲିସ ସେ ଦିଗ ନେଇ ମଧ୍ୟ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.