ଅଷ୍ଟମ ଶ୍ରେଣୀ ଝିଅର ମିନିସ୍କର୍ଟ ପିନ୍ଧା ଫଟୋ ଦେଖି ଦିଲ୍ଲୀ ଯୁବକ ବାୟା, ନାବାଳିକାକୁ ପ୍ରେମ ଜାଲରେ ଫସାଇଲା, ମଡେଲ ହେବାକୁ କହି ଘରୁ ଡାକିଲା…
27/12/2020 at 10:04 AM

ପୁରୀ,୨୭/୧୨: ଏକ ଘରୋଇ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ନାବାଳିକା । ଘର ଲୋକେ ନାବାଳିକାଙ୍କୁ ଦେଇଦେଲେ ଏକ ଦାମୀ ମୋବାଇଲ୍ ଫୋନ୍ । ବାସ୍ ଏଇଠୁ ଆରମ୍ଭ ହେଲା ଅସଲ ଘଟଣା । ଗୋଟିଏ ନୁହେଁ ବରଂ ଘର ଲୋକେ ଦେଇଥିଲେ ଦୁଇଟି ମୋବାଇଲ ଫୋନ୍ । ୬୦ହଜାର ଟଙ୍କାର ୨ଟି ମୋବାଇଲ୍ ଧରୁଥିଲେ ନାବାଳିକା ଛାତ୍ରୀ। ଏହାସହ ସେ ଫେସବୁକରେ ଆକାଉଣ୍ଟ ଖୋଲି ସାରିଥିଲେ । ନିୟମିତ ଭାବେ ନିଜର ଫଟୋ ପୋଷ୍ଟ କରୁଥିଲେ। ଏକତା ସେ ନିଜର ଏକ ମିନିସ୍କର୍ଟ ପିନ୍ଧା ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋ ଦେଖି ଜଣେ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇବା ସହ ଅନେକ ସ୍ୱପ୍ନ ଦେଖାଇଲା। ମଡେଲ୍ କରାଇଦେବ ବୋଲି ପ୍ରଲୋଭିତ କଲା । ତାପପରେ ହେଲା ଅପହରଣ ଯୋଜନା । କିନ୍ତୁ ଭାଗ୍ୟ ସାଥ୍ ଦେଲାନି । ଠିକ୍ ସମୟରେ ଧରିଲା ପୁରୀ ଆର୍ପିଏଫ୍ ଟିମ୍ । ଏଭଳି ଏକ ଘଟଣା ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାନୁସାରେ, ନାବାଳିକାଙ୍କ ଘର ହେଉଛି କଣାସ ଥାନା ଅଧୀନ ଜଙ୍କିଆଗଡ ଅଞ୍ଚଳରେ। ତାଙ୍କୁ ପ୍ରେମ ଜାଲରେ ଫସାଇଥିବା ଯୁବକ ଋଷଭ ଦିଲ୍ଲୀରେ ଏକ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି । ତାଙ୍କ ଘର ଆଗ୍ରାରେ ।ସେ ୬ ମାସ ପୂର୍ବରୁ ଫେସ୍ବୁକ୍ରେ ନାବାଳିକାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ବନ୍ଧୁତା ଆସ୍ତେ ଆସ୍ତେ ଗଭୀରକୁ ଯାଇଥିଲା। ଉଭୟଙ୍କ ମଧ୍ୟରେ ମୋବାଇଲ୍ ନମ୍ବର ଆଦାନ ପ୍ରଦାନ ହୋଇ ଭିଡିଓ କଲିଂରେ ଚାଲିଲା କଥାବାର୍ତ୍ତା। ଏହାପରେ ପ୍ରେମ ବନ୍ଧନରେ ଉଭୟ ବାନ୍ଧି ହୋଇଥିଲେ। କିନ୍ତୁ ବିଶ୍ୱାସରେ ଅନ୍ଧ ହୋଇ ନାବାଳିକାଙ୍କ ବାପାମାଆ ଏସବୁ ଜାଣି ପାରୁନଥିଲେ । ବାପା ଭୁବନେଶ୍ୱରରେ ବ୍ୟବସାୟ କରୁଥିବାବେଳେ ଘରେ ନାବାଳିକାଙ୍କୁ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନତା ଦେଇଥିଲେ ମାଆ।
ମିନିସ୍କର୍ଟ ପିନ୍ଧା ଏକାଧିକ ଫଟୋ ନିଜ ଫେସ୍ବୁକ୍ ଆଇଡିରେ ପୋଷ୍ଟ କରିଥିଲେ ନାବାଳିକା। ଏହା ଦେଖି ନାବାଳିକାଙ୍କ ଦୁର୍ବଳତା ସମ୍ପର୍କରେ ବୁଝିଥିଲା ଋଷଭ୍। ନାବାଳିକା ଜଣେ ମଡେଲ ହେବା ସହ ଏୟାର୍ ହୋଷ୍ଟେସ୍ ବନିବାକୁ ଇଚ୍ଛା ରଖିଥିବା କହିଥିଲା। ତେଣୁ ଏହାର ଫାଇଦା ଉଠାଇବାକୁ ଯୋଜନା କରିଥିଲା ଋଷଭ୍। ଖାଲି ମଡେଲ୍ ନୁହେଁ । ନାବାଳିକାକୁ ହିନ୍ଦୀ ଚଳଚିତ୍ରରେ ଜଣେ ଅଭିନେତ୍ରୀ କରାଇଦେବ ବୋଲି ସେ ପ୍ରତିଶୃତି ଦେଇଥିଲା। ଓଡିଶାରେ ଏହି ଦିଗରେ ଯିବା ପାଇଁ କୌଣସି ବାଟ ନାହିଁ । ଓଡିଆ କଲ୍ଚର୍ ଏହାକୁ ଗ୍ରହଣ କରିବ ନାହିଁ ବୋଲି ନାବାଳିକାକୁ କହିଥିଲା ଋଷଭ୍ । ତେଣୁ ଏଥିପାଇଁ ତାକୁ ଘର ଛାଡି ଦିଲ୍ଲୀରେ ପହଞ୍ଚିବାକୁ ସେ କହିଥିଲା ।
ଶୁକ୍ରବାର ସାଢେ ୧୨ଟା । ନାବାଳିକା କାହାକୁ କିଛି ନକହି ପୁରୀ ରେଳ ଷ୍ଟେସନ୍ରେ ପହଞ୍ଚିଥିଲା। ପାଖରେ ଥିଲା ୧୦ ହଜାର ଟଙ୍କା ଓ ୨ଟି ମୋବାଇଲ୍। ପ୍ଲାଟ୍ଫର୍ମରେ ବସିଥିବାବେଳେ ପାଟ୍ରୋଲିଂ କରୁଥିବା ଆର୍ପିଏଫ୍ ଏସ୍ଆଇ ପି.କେ ରାଉଳ ତାଙ୍କୁ କୁଆଡେ ଯିବ ବୋଲି ପଚାରିଥିଲେ। ନାବାଳିକା ଦିଲ୍ଲୀ ଯିବ ବୋଲି କହିଥିଲେ । କିନ୍ତୁ ଏବେ ଟ୍ରେନ୍ ନାହିଁ ଘରକୁ ପଳାଅ ବୋଲି କହିବାରୁ ନାବାଳିକା ଜଣଙ୍କ ସାଙ୍ଗ ଓ ପରିବାର ପଛରେ ଆସୁଛନ୍ତି ବୋଲି କହିଥିଲେ। ସେ ଆଗ ଆସି ଏଠାରେ ବସିଛନ୍ତି। ଏହି କଥାରୁ ସନ୍ଦେହ ହେବାରୁ ତାକୁ ଥାନାକୁ ନେଇ ପଚରା ଉଚରା କରିଥିଲା ଆରପିଏଫ। ଏହାପରେ ସବୁ ଗୁମର ଖୋଲି ଯାଇଥିଲା । ପ୍ରେମିକ ତାକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ବୋଲି ନାବାଳିକା ଆରପିଏଫ ଏସଆଇଙ୍କୁ କହିଥିଲେ । ଏହାପରେ ତାଙ୍କୁ ସିଡବ୍ଲୁସି ନିକଟରେ ପହଞ୍ଚାଇବା ସହ ପରିବାର ଲୋକଙ୍କୁ ଡକାଇଥିଲା ଆର୍ପିଏଫ୍ । ସିଡବ୍ଲୁସି ତାକୁ ସେଲ୍ଟର୍ ହୋମ୍ ପଠାଇଥିଲେ ।