ବିଶ୍ୱରେ ୮୮୭ ପ୍ରକାରର ବିପଜ୍ଜନକ ଭାଇରସ, ସୃଷ୍ଟି କରିବେ କରୋନା ଭଳି ୩୦ ଭୟଙ୍କର ମହାମାରୀ !

Published By : Prameya-News7 Bureau | June 27, 2021 IST

ଭୁବନେଶ୍ୱର, ୨୭|୦୬ :  ସାରା ବିଶ୍ବରେ ୮୮୭ ପ୍ରକାର ବିପଦଜନକ ଭାଇରସର ତାଲିକା କରାଯାଇଛି, ଯେଉଁମାନେ ଏମିତି ତ ଜୀବଜନ୍ତୁଙ୍କ ଶରୀରରେ ଦେଖାଯାଆନ୍ତି। କିନ୍ତୁ ଭବିଷ୍ୟତରେ ୩୦ ପ୍ରକାର ଭୟଙ୍କର ମହାମାରୀ ସୃଷ୍ଟି କରିବା ଆଶଙ୍କା ରହିଛି। ୧୩ ଦେଶର ବୈଜ୍ଞାନିକଙ୍କ ଗବେଷଣାରୁ ସାମ୍ନାକୁ ଆସିଛି ଏହି ତଥ୍ୟ।

୮୮୭ ଭାଇରସ୍ , ୩୦ପ୍ରକାର ମହାମାରୀ । ଏମିତି ଏକ ତଥ୍ୟ ଆସିଛି ଗବେଷଣାରୁ । ସାରା ବିଶ୍ବରେ କୋଭିଡ୍-୧୯ ଭାଇରସ୍ ଆତଙ୍କ ଖେଳାଇଛି । ଏହା ବାଦୁଡିରୁ ମଣିଷ ଦେହକୁ ଆସିଥିବା କୁହାଯାଉଛି । ଜୀବଜନ୍ତୁଙ୍କ ପାଖରୁ ଆସୁଥିବା ଆଉ କେଉଁ ଭାଇରସ୍ ମଣିଷକୁ ଆକ୍ରାନ୍ତ କରିପାରେ ଏନେଇ ଗବେଷଣା ଚାଲିଛି । ୮୮୭ ଭାଇରସ୍ର ତାଲିକା ପ୍ରସ୍ତୁତ କରାଯାଇଛି, ଯାହା ଭବିଷ୍ୟତରେ ୩୦ପ୍ରକାର ମହାମାରୀ ସୃଷ୍ଟି କରିପାରେ ।

୧୩ଟି ଦେଶର ୬୫ ବୈଜ୍ଞାନିକ ଏହି ଗବେଷଣା କରିଛନ୍ତି । ଆମ ଚାରିପାଖର କୀଟପତଙ୍ଗ, ଗୃହପାଳିତ ପଶୁ, ଜଙ୍ଗଲି ଜନ୍ତୁଙ୍କ ଶରୀରରେ ଦେଖାଯାଉଥିବା ଭାଇରସ୍ ଉପରେ ଛାନଭିନ୍ କରାଯାଇଛି । ଜୀବଜନ୍ତୁଙ୍କଠାରେ ଦେଖାଯାଉଥିବା ୮୮୭ ଭାଇରସ୍ ଭିତରୁ ୩୮ଟି ମଣିଷକୁ ସଂକ୍ରମିତ କରିପାରନ୍ତି । ତେବେ ବାକି ୮୪୯ ଭାଇରସ୍ କେତେ ମାରାତ୍ମକ ସେନେଇ ଗବେଷଣା ଚାଲିଛି । ୟୁନିଭରସିଟି ଅଫ କାଲିଫର୍ଣିଆର ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ଜୋନା ମେଜେଟ୍, ଭାଇରସ୍ର ଭୟାବହତା ନେଇ ବିଭାଗୀକରଣ କରିଛନ୍ତି । ଏ ଭିତରୁ କିଛି ଅତି ମାରାତ୍ମକ । ସିଓଲ, ହେପାଟାଇଟିସ୍ ଇ, ରାବିସ୍, ସିମିଆଲ୍ ଫୋମି ଏବଂ କରୋନା ଭଳି କିଛି ଭାଇରସ୍ ବିଶ୍ବ ମହାମାରୀର ରୂପ ନେଇପାରନ୍ତି । ସେହିପରି ସାର୍ସ-କୋଭ୍-୨, ନିପ୍ପା, ରେଟ୍ରୋ, ପ୍ରେଡିକ୍ଟ କୋଭ୍-୩୫, ବୋର୍ନା, ମାଉସ, ମଙ୍କି ପକ୍ସ ଏବଂ ପ୍ରେଡିକ୍ଟ କୋଭ୍-୨୪ ଭଳି କିଛି ଭାଇରସ୍ କୁ ସେମି ଗ୍ଲୋବାଲ୍ ଶ୍ରେଣୀରେ ରଖା ଯାଇଛି । ଯେଉଁମାନେ ଅଧା ବିଶ୍ବକୁ ବ୍ୟାପି ଯାଇ ପାରନ୍ତି । ଆଉ କିଛି ସାମାନ୍ୟ କମ ପ୍ରଭାବୀ ହେଲେ ମଧ୍ୟ କିଛି ଦେଶ ବା ମହାଦେଶରେ ବ୍ୟାପକ କ୍ଷୟକ୍ଷତି କରିପାରନ୍ତି, ଯାହା ଭିତରେ ରହିଛି ଲାସା, ଇବୋଲା, ଫିଲୋ, ସାର୍ସ କରୋନା, ୟୁରୋପିଆନ୍ ବ୍ୟାଟ୍ ଲିସା, କାଓ ପକ୍ସ, ଏବଂ ବୁନିୟା ଭଳି କିଛି ବିପଦଜନକ ଭାଇରସ୍ ।

 ମଣିଷ ପ୍ରତି ସବୁଠୁ ବେଶୀ ବିପଦଜନକ ଭାଇରସ୍ ହେଉଛି ସାର୍ସ-କୋଭ୍-୨ । ତାପଛକୁ ରହିଛି ମାଙ୍କଡ ଦେହରୁ ଆସୁଥିବା ସିମିଆନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍, ଯାହା HIV ମହାମାରୀ ସୃଷ୍ଟି କରିଥାଏ । ତାଲିକାଭୁକ୍ତ ହୋଇଥିବା ୮୮୭ଟି ଭାଇରସ୍ ଏମିତି ତ ଜୀବଜନ୍ତୁଙ୍କ ଶରୀରରେ ଦେଖାଯାଏ, କିନ୍ତୁ ମଣିଷକୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ପୁଣି ଯଦି ଦୁଇଟି ଅଲଗା ଅଲଗା ପ୍ରଜାତିର ଭାଇରସ୍ ମିଶି ନୂଆ ଭାଇରସ୍ ତିଆରି କରନ୍ତି, ତେବେ ତାକୁ ସମ୍ଭାଳିବା ବହୁତ ମୁସ୍କିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.