ରାୟଗଡାରେ ବିକାଶ ହୁଡିଛି ବାଟ: ସରକାରୀ ତଥ୍ୟ କହୁଛି ୮୪୦ ଗାଁକୁ ରାସ୍ତା ନାହିଁ
22/11/2018 at 7:05 PM

ରାୟଗଡା ୨୨|୧୧: ଦେଶ ୭୦ ବର୍ଷରୁ ଅଧିକ ହେବ ସ୍ବାଧୀନ ହେଲାଣି । ୨୬ ବର୍ଷ ହେଲାଣି ରାୟଗଡ଼ା ଜିଲ୍ଲା ମାନ୍ୟତା ପାଇଁଲାଣି । ହେଲେ ବିକାଶ ଛୁଇଁଲାନି ଏ ଅଞ୍ଚଳକୁ । ଲୋକଙ୍କ ଯାତାୟତ ପାଇଁ ରାସ୍ତା ନାହିଁ ।ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ବିକାଶ କଥା ପଚାରେ କିଏ । ରାୟଗଡ଼ାର ୮୪୦ ଗାଁକୁ ରାସ୍ତା ନାହିଁ, ଚାଲନ୍ତୁ ଦେଖିବା ଏକ ଏକ୍ସକ୍ଲୁସିଭ ରିପୋର୍ଟ ….
ଗମନା ଗମନରେ ସୁବିଧା ପାଇଁ ସରକାରଙ୍କ କେତେ କଣ ଯୋଜନା । ହେଲେ ଯୋଜନା ସବୁ ତା ବାଟରେ । ରାୟଗଡ଼ା ଜିଲ୍ଲାରେ ୮୪୦ ଗାଁକୁ ରାସ୍ତା ନାହିଁ ।ଯୁଆଡ଼େ ଚାହିଁଲେ ବଣ ଆଉ ପାହାଡ଼ । ଜଙ୍ଗଲ ଭିତର ଦେଇ ପାଦରେ ଚାଲି ଚାଲି ଯାତାୟତ କରିବାକୁ ପଡ଼େ । ନହେଲେ ପାହାଡ଼ ଢାଲୁ ଭରସା । ପାଣିରେ ପଶି ପିଲାଏ ପାଠ ପଢ଼ି ଯାଆନ୍ତି । କାଦୁଅ ପଚ ପଚ ମାଟି ରାସ୍ତା ଲୋକଙ୍କର ଚିର ସାଥୀ । ଦେହ ପା ହେଲେ ଗାଁ ଭିତରକୁ ପଶିପାରେନି ଆମ୍ବୁଲାନ୍ସ ।ଅନେକ ସମୟରେ ଭାରରେ ବୁହା ହୁଅନ୍ତି ରୋଗୀ । ରାସ୍ତା ନଥିବାରୁ ଅନେକ ସମୟରେ ଅଘଟଣା ଘଟେ । ଜିଲ୍ଲା, ରାଜ୍ୟ, ଦେଶ ନିନ୍ଦା ପାଏ । ତଥାପି ବଦଳେନି ଜିଲ୍ଲାର ଚିତ୍ର । ପ୍ରଶାସନକୁ ଜଣେଇଲେ ବି ଫଳ ଘର ଶୂନ । ତେଣୁ ନିଜେ ଶ୍ରମ ଦାନ କରି ରାସ୍ତା ନିର୍ମାଣ କରିଛନ୍ତି ଗାଁ ଲୋକେ ….
ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କାଶୀପୁର ବଲ୍କର ୧୧୬ଟି ରାଜସ୍ବ ଓ ପଡ଼ା ଗାଁକୁ ରାସ୍ତା ନାହିଁ । ଏହା ପଛକୁ ରହିଛି ମୁନିଗୁଡ଼ା । ଏହି ବ୍ଲକର୧୫୦ ଗାଁ ଲୋକେ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ । । କଲ୍ୟାଣସିଂହପୁରର ୧୦୨ ଗାଁ, ଗୁଣପୁରର ୮୪ ଗାଁ, ଚନ୍ଦ୍ରପୁରର ୮୭, ଗୁଡ଼ାରୀର ୬୭, ବିଷମ କଟକର ୫୨, ପଦ୍ନପୁରର ୩୪, କୋଲନରାର ୨୮ ଗାଁକୁ ରାସ୍ତା ନାହିଁ । ଜିଲ୍ଲାର ସଦର ମହକୁମା ରାୟଗଡା ବ୍ଲକର ୭୫ ଗାଁ ଲୋକେ ରାସ୍ତା ଖଣ୍ଡେରୁ ବଞ୍ଚିତ । ଏନେଇ ଆମେ ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ସେଇ ଚିରାଚରିତ ଉତ୍ତର ….ଏତେ ରାସ୍ତା ନିର୍ମାଣ କରିଛି, ଆହୁରି କରିବୁ….