ଦେଶରେ ପ୍ରଥମେ ୮୪ ବର୍ଷୀୟ କରୋନା ରୋଗୀଙ୍କୁ ଦିଆଗଲା ଆଣ୍ଟିବଡି କକ୍‌ଟେଲ ଔଷଧ, ଟ୍ରମ୍ପଙ୍କ ଚିକିତ୍ସାରେ ହୋଇଥିଲା ବ୍ୟବହାର

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ ୨୬/୫: କରୋନା ଲଢ଼େଇରେ ଆଉ ଏକ ଅସ୍ତ୍ରର ପ୍ରୟୋଗ ହୋଇଛି। ହରିୟାଣାର ଜଣେ ୮୪ ବର୍ଷୀୟ କରୋନା ରୋଗୀ ମୋହବତ ସିଂହଙ୍କୁ ଦେଶର ପ୍ରଥମେ  ଆଣ୍ଡିବଡି କକ୍‌ଟେଲ୍‌ ଦିଆଯାଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଏହି ଔଷଧ ଦିଆଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମୋହବତ ସିଂହଙ୍କୁ ୩୦ ମିନିଟ୍‌ ଯାଏଁ ଆଣ୍ଟିବଡି କକ୍‌ଟେଲ୍‌ ଔଷଧ ଦିଆଯାଇଛି ।   ସେ କରୋନା ସଂକ୍ରମିତ ହେବା ପରେ ୫ ଦିନ ହେଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଏବେ ଏହି ଔଷଧ Casirivimab ଓ Imdevimab କକ୍‌ଟେଲ୍‌ କରୋନା ରୋଗୀଙ୍କ ଶରୀରରେ ଭଲ କାମ ଦେଉଥିବା କୁହାଯାଉଛି। ଆଣ୍ଟିବଡି କକ୍‌ଟେଲ ନେବା ପରେ ରୋଗୀଙ୍କ ଶରୀରରେ ଲକ୍ଷଣ ଅବଧି କମୁଥିବା ବେଳେ ଶୀଘ୍ର ଆଣ୍ଟିବଡି ବୃଦ୍ଧି କରି ଭାଇରାଲ୍‌ ଲୋଡ କମ୍‌ କରିବାରେ ସହାୟକ ହେଉଛି। ରୋଶେ ଏବଂ ସିପ୍ଲା ଲିମିଟେଡ୍‌ର ଘୋଷଣା ମୁତାବିକ ଗତ ସୋମବାର ରୋଶେ ଆଣ୍ଟିବଡି କକ୍‌ଟେଲ ଔଷଧର ପ୍ରଥମ ଫେଜ୍‌ ଭାରତରେ ପହଞ୍ଚିଛି ।

ତେବେ ଏହି ଔଷଧକୁ ଜଣେ କୋଭିଡ ରୋଗୀଙ୍କ ଶରୀରରେ ଦେବା ଫଳରେ ଏହା ଭୂତାଣୁ ବିଭକ୍ତିକରଣକୁ ରୋକିଦିଏ । ଯାହାଫଳରେ ଶରୀରରେ କରୋନା ଭାଇରାସ୍‌ କାୟା ମେଲାଇ ପାରେନାହିଁ। ଧିରେ ଧିରେ ଭୂତାଣୁ ନଷ୍ଟ ହୋଇଯାଏ ବୋଲି ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ନରେଶ ରେହାନ କହିଛନ୍ତି। ମିଳିଥିବା ଗବେଷଣା ତଥ୍ୟ ଅନୁସାରେ ଏହି ଔଷଧ ନେବା ପରେ ପ୍ରାୟ ୮୦ ପ୍ରତିଶତ ରୋଗୀଙ୍କୁ ହସ୍ପିଟାଲ ଯିବାକୁ ପଡ଼ିବନାହିଁ।

ଗତବର୍ଷ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଚିକିତ୍ସା ବେଳେ ମନୋକ୍ଲୋନାଲ ଆଣ୍ଟିବଡି କକ୍‌ଟେଲ୍‌ ଦିଆଯାଇଥିଲା। ଔଷଧର ପ୍ରଭାବ ଏମିତି ରହିଲା ଯେ, ଟ୍ରମ୍ପ କେବଳ ଗୋଟିଏ ସପ୍ତାହରେ ସୁସ୍ଥ ହୋଇ ପୁଣି କାର୍ଯ୍ୟକୁ ଫେରିପାରିଥିଲେ। ହସ୍ପିଟାଲରେ ଔଷଧର ଦାମ  ପାଖାପାଖି  ୫୯୦୦୦ ଟଙ୍କାରେ ରହିଥିବା ବେଳେ ଏହାର ବ୍ୟବସାୟ ଦାୟିତ୍ବରେ ରହିଛି ସିପ୍ଲା ଲିମିଟେଡ୍‌ ।  କରୋନା ଚିକିତ୍ସରରେ ଏହି ଔଷଧର ଗୋଟିଏ ପାନ  ଆବଶ୍ୟକ ପଡ଼ୁଥିବା ଜଣାପଡ଼ିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.