Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବାତ୍ୟା ‘ୟସ୍’ର ମୁକାବିଲା ଲାଗି ଭଦ୍ରକ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି, ଲୋକଙ୍କୁ ଥଇଥାନ ପାଇଁ ୮୪ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ

25/05/2021 at 4:00 PM

ଭଦ୍ରକ ୨୫।୫: ବାତ୍ୟା ‘ୟସ୍’ର ମୁକାବିଲା ଲାଗି ଭଦ୍ରକ ଜିଲ୍ଲାରେ ୭ଟି ବ୍ଲକର ୮୪ଟି ବାତ୍ୟା ଆଶ୍ରୟସ୍ଥଳୀ, ୨୦ଟି ରେଡ୍‌କ୍ରସ ସେଲ୍‌ଟର ସେଣ୍ଟରକୁ ମିଶାଇ ମୋଟ୍ ୭୬୫ଟି ଥଇଥାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହିସବୁ କେନ୍ଦ୍ରରେ ବିଦ୍ୟୁତ ସରବରାହକୁ ନିରବଚ୍ଛିନ୍ନ ରଖାଯିବାକୁ ପ୍ରସ୍ତୁତି ଜାରି ରହିଥିବା ବେଳେ ୧୨୫ଟି ଟାୱାର ଲାଇଟ, ୮୨ଟି ଜେନେରେଟର ମହଜୁଦ ରଖାଯାଇଛି । ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଜେନେରେଟର ଭଡା ସୂତ୍ରରେ ଅଣାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ୭୬୫ଟି କେନ୍ଦ୍ରରେ ମୋଟ୍ ୭୬ ହଜାର ୩୮୪ ଜଣଙ୍କୁ ଥଇଥାନ କରାଯିବାର କ୍ଷମତା ରହିଛି । ସ୍ଥାନାନ୍ତର ପାଇଁ ଯୋଗ୍ୟ ୯୦୫୯ଟି ପରିବାରର ମୋଟ୍ ୩୬ ହଜାର ୨୦୦ ଜଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି । ଜିଲ୍ଲାର ୫୭୩ ଜଣ ଦିବ୍ୟାଙ୍ଗଙ୍କୁ ମଧ୍ୟ ଥଇଥାନ ନିମନ୍ତେ ଚିହ୍ନଟ କରାଯାଇଛି ।

ତେବେ ଏହି ବାତ୍ୟାରେ ବାସୁଦେବପୁର ବ୍ଲକ୍ ଓ ପୌରପାଳିକା ଏବଂ ଚାନ୍ଦବାଲି ବ୍ଲକ୍ ବେଶୀ ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ ଏହି ଅଞ୍ଚଳର ମୋଟ୍ ୧୪ଟି ପଞ୍ଚାୟତର ୪୧ଟି ଗ୍ରାମର ୯୪ ହଜାର ୩୬୯ଜଣ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିଭଳି ବାତ୍ୟା ବେଳେ ଲୋକଙ୍କ ସୁବିଧା ପାଇଁ ଓ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଧାମରା, ଚାନ୍ଦବାଲି, ବିଦେଇପୁର ଓ ତିହିଡ଼ିରେ ମୋଟ୍ ୧୦ଟି ଏନ୍‌ଡିଆର୍‌ଏଫ୍ ଟିମ , ଚାନ୍ଦବାଲି, ବାସୁଦେବପୁର ଓ ଭଦ୍ରକରେ ମୋଟ୍ ୩ଟି ଓଡ୍ରାଫ୍ ଟିମ୍‌ , ଭଦ୍ରକ, ବନ୍ତ, ଧାମନଗର, ତିହିଡ଼ି, ବାସୁଦେବପୁର ଓ ଚାନ୍ଦବାଲିରେ ୧୨ଟି ଫାୟାର୍ ଟିମ୍‌ ସହ ସମୁଦାୟ ୨୦ ଅଗ୍ନିଶମ ଟିମକୁ ମୁତୟନ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ୯ଟି ଦମକଳ କେନ୍ଦ୍ରରେ ୨୧ଟି ଟାୱାର ଲାଇଟ, ୨ଟି ଜେନେରେଟର ଓ ୫୦ଟି ପାୱାର କଟର ରଖାଯାଇଛି ।

ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ନିମନ୍ତେ  ୧ଲକ୍ଷ ୭୪ ହଜାର୯୮୯ କୁଇଣ୍ଟାଲ ଚାଉଳ, ୩୪୪ କୁଇଣ୍ଟାଲ ଚୁଡା, ୧୦୩ କୁଇଣ୍ଟାଲ ଗୁଡ଼ ରହିଛି । ପାନୀୟ ଜଳ ଯୋଗାଣ ନିମନ୍ତେ ୭୭ଟି ୱାଟର ଟ୍ୟାଙ୍କର ଓ ବିଭିନ୍ନ ପାନୀୟ ଜଳ ଯୋଗାଣ କେନ୍ଦ୍ରରେ ବିଦ୍ୟୁତ ବ୍ୟାହତ ସମୟରେ ପାଣି ଯୋଗାଇବା ପାଇଁ ୪୦ଟି ଜେନେରେଟର ବ୍ୟବସ୍ଥା ହୋଇଛି । ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ୭ଟି ରାପିଡ୍ ରେସପନ୍ସ ଟିମ୍‌, ୭ଟି ମୋବାଇଲ ହେଲ୍‌ଥ ୟୁନିଟ୍ ସହିତ ପର୍ଯ୍ୟାପ୍ତ ଓଆର୍‌ଏସ୍‌, ହାଲୋଜିନ ବଟିକା, କୋଭିଡ଼ କେୟାର ସେଣ୍ଟର ପାଇଁ ପାୱାର ବ୍ୟାକ୍‌ଅପ୍‌, ଅକ୍ସିଜେନ ସିଲିଣ୍ଡର ରଖାଯାଇଥିବା ବେଳେ ମୋଟ୍ ୪୨ଟି ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇଛି ।

ସେହିପରି ପଶୁ ସମ୍ପଦର ଉଦ୍ଧାର ଓ ଚିକିତ୍ସା ପାଇଁ ୧୩ଟି ରାପିଡ୍ ରେସପନ୍ସ ଟିମ୍ ରଖାଯାଇଛି । ୭ଟି ମୋବାଇଲ ଭ୍ୟାନ୍ ରହିଛି । ଲାଇନ୍ ଡିପାର୍ଟମେଣ୍ଟ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ଜେସିବି ୩୨ଟି, ଟ୍ରାକ୍ଟର ୪୭ଟି, ଟ୍ରକ ୧୭ଟି, ଟିପ୍ପର ୧୬ଟି ଓ ଅନ୍ୟାନ ବାହନ ୯ଟି ରଖାଯାଇଛି । ନେସ୍କୋ ପକ୍ଷରୁ ବିଭିନ୍ନ ସ୍ଥାନରେ ୩୮୦ଟି ବିଦ୍ୟୁତ୍ ଖୁଣ୍ଟ, ୩୩ଟି ୧୦ଜଣିଆ ଗ୍ୟାଙ୍ଗ ଏବଂ ଆନୁସଙ୍ଗୀକ ଯନ୍ତ୍ରପାତି ବିଦ୍ୟୁତ ସରବରାହକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ପାଇଁ ପ୍ରସ୍ତୁତ ରଖାଯାଇଛି । ମୋଟ୍ ୨୨୭୭ ରୋଲ୍ ପଲିଥିନ୍ ବିଭିନ୍ନ ତହସିଲରେ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପରିସ୍ଥିତିକୁ ଦେଖି ଅଧିକ ସାମଗ୍ରୀର ଆବଶ୍ୟକତାକୁ ପୂରଣ କରାଯିବ । ଦରକାର ପଡିଲେ ଅଧିକ ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ । ଏହା ବାଦ୍ ୫୦୦ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯିବାକୁ ଥିବାବେଳେ ୧୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି । ଏବେ ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଛି ।

   Related Posts