ମାଟ୍ରିକ୍ ରେଜଲ୍ଟ : ୮୨ଟି ସ୍କୁଲରେ ରେଜଲ୍ଟ ଶୂନ, ସ୍କୁଲ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
21/05/2019 at 11:26 AM

ଭୁବନେଶ୍ବର ୨୧|୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏହି ସମୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ, ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ଉପସ୍ଥିତ ଥିଲେ। ଏ ବର୍ଷ ପାସ୍ ହାର ୭୦.୭୮ % ଥିବା ଜଣାଯାଇଛି। ଗତ ବର୍ଷ ତୁଳନାରେ ଏଥର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୧୧୮୧ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍ରେ ପାସ୍ କରିଛନ୍ତି। ସେହିଭଳି ଏ-୨ରେ ୯୯୩୮ ଓ ବି-୧ରେ ୨୪୯୯୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହ ବି-୨ରେ ୪୬,୩୧୯ , ସି ରେ ୭୬, ୧୩୯, ଡି ରେ ୧, ୧୬, ୨୬୨ , ଇରେ ୧,୨୨,୦୬୭, ଏଫରେ ୧,୬୩,୯୫୪ ପରୀକ୍ଷାର୍ଥୀ ପାସ୍ କରିଛନ୍ତି।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ୨୮୯ଟି ସ୍କୁଲରେ ଶତପ୍ରତିଶତ ହୋଇଛି । ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ହୋଇଛି । ଅର୍ଥାତ୍ ଏହି ସ୍କୁଲରେ କୌଣସି ବି ପରୀକ୍ଷାର୍ଥୀ ପାସ୍ କରିନାହାନ୍ତି । କ’ଣ ପାଇଁ ଏହି ସମସ୍ତ ସ୍କୁଲରେ ରେଜଲ୍ଟ ଖରାପ ହୋଇଛି । ସେ ନେଇ ତର୍ଜମା କରାଯିବା ସହ ଖରାପ ରେଜଲ୍ଟ ହୋଇଥିବା ସ୍କୁଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ।
ଏଥର ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଥିବା ବେଳେ ୨ଲକ୍ଷ ୫ହଜାର ୪୭୦ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି। ଝାରସୁଗୁଡା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୫.୪୮% ଥିବା ବେଳେ କୋରାପୁଟ ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୫୦.୬୧% ରହିଛି।