୮୦୦ କିଲୋ ଗୋବର ଚୋରି କରିନେଲା ଚୋର, ଥାନାରେ ମାମଲା, ତଦନ୍ତ କରୁଛି ପୋଲିସ

Published By : Prameya-News7 Bureau | June 20, 2021 IST

ରାଇପୁର ୨୦/୬: ସୁନାଗହଣା, ଟଙ୍କା ଚୋରି ହେବା କଥା ଶୁଣିଥିବେ। ଏହାକୁ ନେଇ ଥାନାରେ ଏତଲା ହେବା ଏବଂ ପୋଲିସ ଚୋରକୁ ଧରିବା ଖବର ସବୁବେଳେ ଶୁଣିବାକୁ ମିଳେ। କିନ୍ତୁ କେବେ ଶୁଣିଛନ୍ତି ଗୋବର ଚୋରି ପାଇଁ ମାମଲା ରୁଜୁ ହୋଇଛି। ଏମିତି ଏକ ନିଆରା ମାମଲା ଛତିଶଗଡ଼ ରାଜ୍ୟର ଦୀପକା ଥାନା ଅନ୍ତର୍ଗତ ଧୁରେନା ଗାଁରେ ଘଟିଛି।

ରବିବାର ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଚୋରି ହୋଇଥିବା ୮୦୦ କେଜି (୮ କ୍ବିଣ୍ଟାଲ) ଗୋବରର ଦାମ ୧୬ ଶହ ଟଙ୍କା ହେବ। ୮-୯ ଜୁନ୍‌ ରାତିରେ ଗୋବର ଚୋରି ହୋଇଥିବା ବେଳେ ଏହାକୁ ନେଇ ୧୫ ଜୁନ୍‌ରେ ଥାନାରେ ଏତଲା ଦେଇଥିଲେ କମହାନ ସିଂହ କମ୍ବର। କମହାନ ସିଂହ ଗାଁର ଗୋଧନ ନ୍ୟାୟ ଯୋଜନାର ମୁଖ୍ୟ। ତାଙ୍କଠୁ ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରିଛି। ଏହା ପରେ ପୋଲିସ ଛାନଭିନ୍‌ କରୁଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଏକ ଟାଙ୍କିରେ ଗୋବର ରଖାଯାଇଥିବା ବେଳେ ରାତିର ଅନ୍ଧାରର ସୁଯୋଗ ନେଇ ଚୋର ୧୬୦୦ ଟଙ୍କା ମୂଲ୍ୟର ଗୋବର ଚୋରି କରିଛି। ପୋଲିସ ଅଜଣା ଚୋର ନାଁରେ ଧାରା ୩୭୯ ରେ ମାମଲା ରୁଜୁ କରିଛି।

ଏହା ପୂର୍ବରୁ କୋରବାରୁ ପ୍ରଥମେ ଗୋବର ଚୋରି ଘଟଣା ସମ୍ନାକୁ ଆସିଥିଲା। କିନ୍ତୁ ଏହାକୁ ନେଇ କୌଣସି ଅଭିଯୋଗ ହୋଇନଥିଲା।  ଗତବର୍ଷ କୋରିଆ ଜିଲ୍ଳାର ଦୁଇ ଚାଷୀଙ୍କ ବାଡ଼ିରୁ ପ୍ରାୟ ଏକ କ୍ବିଣ୍ଟାଲ ଗୋବର ଚୋରି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.