କରୋନା ଯୋଦ୍ଧା : ଗୁଜୁରାଟର ୮୦ବର୍ଷୀୟା ବୃଦ୍ଧା ନିଜ ବୋହୂଙ୍କ ସହ କରୋନାକୁ ହରାଇ ସୁସ୍ଥ ହୋଇ ଫେରିଲେ ଘରକୁ
6/04/2020 at 2:56 PM

ଗାନ୍ଧୀନଗର ୬/୪: ଗୁଜୁରାଟ ଗାନ୍ଧୀନଗରର ୭୫ବର୍ଷ ବୟସ୍କ ବିମଳାବେନ କାନାବାରଙ୍କ ପରେ ଏବେ ୮୦ବର୍ଷ ବୟସର ଇଚ୍ଛାବେନ ପଟେଲ୍ ମଧ୍ୟ କରୋନା ବିରୋଧରେ ସଂଘର୍ଷ କରି ଜିତିଛନ୍ତି। ଇଚ୍ଛାବେନ ପଟେଲ୍ ଚିକିତ୍ସା ପାଇଁ ଗାନ୍ଧୀନଗରର ସିଭିଲ୍ ହସ୍ପିଟାଲରେ ନିଜ ବୋହୂଙ୍କ ସହ ଭର୍ତ୍ତି ହୋଇଥିଲେ। ଦୁହେଁ ମାତ୍ର ୧୩ଦିନରେ ହିଁ କରୋନାକୁ ହରାଇଥିଲେ। ଶନିବାର ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଥିଲା। ଏବେ ତାଙ୍କୁ ୧୪ଦିନ ପାଇଁ ଘରେ କ୍ବାରେଣ୍ଟାଇନରେ ରହିବାକୁ ହେବ। ଇଚ୍ଛାବେନ ପଟେଲ୍ ଏବଂ ପିନଲବେନଙ୍କୁ ଦୁବାଇରୁ ଫେରିଥିବା ନାତି ଉମଙ୍ଗ ପଟେଲଙ୍କଠୁ କରୋନା ସଂକ୍ରମଣ ହୋଇଥିଲା।
ଗାନ୍ଧୀନଗର ସିଭିଲ୍ ହସ୍ପିଟାଲରୁ ଡାକ୍ତର ଅରୁଣ ମକଓ୍ବାନା ୧୦ଦିନରୁ ନିଜ ଘରକୁ ଯାଇ ନାହାନ୍ତି। ସେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି। ସେ କହିଛନ୍ତି ଘରେ ତାଙ୍କର ବର୍ଷକର ସାନ ପୁଅ ରହିଛନ୍ତି,ତାଙ୍କୁ ସଂକ୍ରମଣ ହେବା ଡରରେ ସେ ୧୦ଦିନ ହେବ ନିଜ ଘରକୁ ଯାଇ ନାହାନ୍ତି। ତାଙ୍କର ଗାନ୍ଧୀନଗର ସିଭିଲ୍ ହସ୍ପିଟାଲର ସ୍ପେଶାଲ ଓ୍ବାର୍ଡ଼ରେ ଡ୍ୟୁଟି ପଡ଼ିଛି।
ଦେଶର ସବୁ ଅଞ୍ଚଳରେ ଡାକ୍ତରମାନେ ନିଜ ଘର ପରିବାର ଛାଡ଼ି କରୋନା ବିରୁଦ୍ଧରେ ଲଢ଼େଇ କରୁଛନ୍ତି। ସେ ସବୁ ସମୟ ରୋଗୀଙ୍କ ସେବାରେ ଲାଗିଛନ୍ତି ଏବଂ ସେମାନଙ୍କୁ ସୁସ୍ଥ କରି ତାଙ୍କ ଘରକୁ ଛାଡ଼ୁଛନ୍ତି।