କୋଭିଡକୁ ହରାଇଲେ ୮୦ ବର୍ଷୀୟା ମହିଳା, କେନ୍ଦ୍ରାପଡା ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ, ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଜଣାଇଲେ କୃତଜ୍ଞତା

Published By : Prameya-News7 Bureau | June 16, 2021 IST

କେନ୍ଦ୍ରାପଡା, ୧୬/୦୬ :   ଆତଙ୍କ ଖେଳାଇଥିବା ବେଳେ ଏହା ସହ ଲଢ଼େଇ କରି ଶେଷରେ ସକରାତ୍ମକ ବାର୍ତ୍ତା ଦେଇଛନ୍ତି ଏହି ବୟୋବୃଦ୍ଧା । ୮୦ ବର୍ଷୀୟା   ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡ଼ା ଛତାସ୍ଥିତ ସମ୍‌ କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌୍‌ ଅନ୍ତର୍ଗତ ହରିଦାସପୁର ଗ୍ରାମର ସ୍ୱର୍ଗତ ଅର୍ଜୁନ ଚରଣ ମହାନ୍ତିଙ୍କ ପତ୍ନୀ କ୍ଷୀରୋଦୀ ମହାନ୍ତି (୮୦) କିଛିଦିନ ତଳେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କର ଥଣ୍ଡା କାଶ ସହ କଫ ଲାଗି ରହିଥିଲା । ପୂର୍ବରୁ ଏପରି ବହୁବାର ହୋଇଥିଲେ ବି ପରେ ଭଲ ହୋଇଯାଉଥିଲା । ହେଲେ ଏଥର କାଶ ଲାଗି ରହିବା ସହ ତାଙ୍କୁ ଜ୍ୱର ହୋଇଥିଲା । ପୁଅ ଖଗେଶ୍ୱର ମହାନ୍ତି ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇ ଁଆଣିଥିଲେ । ସେଠାରେ କ୍ଷୀରୋଦୀ ଓ ତାଙ୍କ ପୁଅ ଖଗେଶ୍ୱରଙ୍କର କୋଭିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା । ଉଭୟଙ୍କର ନେଗେଟିଭ୍‌ ବାହାରିଥିଲେ ବି କ୍ଷୀରୋଦୀଙ୍କର ଅମ୍ଳଜାନ ସ୍ତର ବହୁ କମ୍‌ ଥିଲା । ଅମ୍ଳଜାନ ସ୍ତର ୫୬ରୁ ୬୦ ପ୍ରତିଶତକୁ ଖସିଆସିଥିଲା । ତାଙ୍କୁ ତୁରନ୍ତ ଜୁନ୍‌ ୬ ତାରିଖରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଡେରାବିଶ ବ୍ଲକ୍‌ ଛତାଠାରେ ଥିବା ସମ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ କ୍ଷୀରୋଦୀଙ୍କର କୋଭିଡ୍‌ ଆର୍‌ଟିପିସିଆର ଟେଷ୍ଟ ହେବାରୁ ପଜିଟିଭ୍‌ ବାହାରିଥିଲା । ଦିନକୁ ଦିନ ତାଙ୍କର ଅମ୍ଳଜାନ ସ୍ତର କମିବା ସହ ନିଃଶ୍ୱାସପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା । ପରିବାର ଲୋକେ ଆଶା ଛାଡ଼ି ଦେଇଥିଲେ ।

ମାତ୍ର ସମ୍‌ କୋଭିଡ୍‌ ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ଭିତ୍ତିିଭୂମି ସାଙ୍ଗକୁ ଅଭିଜ୍ଞ, ବରିଷ୍ଠ ଡାକ୍ତରଙ୍କ ଆପ୍ରାଣ ପ୍ରଚେଷ୍ଟା କ୍ଷୀରୋଦୀଙ୍କୁ ନୂଆ ଜୀବନ ଦେଇଥିଲା । ମେଡିକାଲ ଟିମ୍‌ ସେମାନଙ୍କର ସମୟୋପଯୋଗୀ ଚିକିତ୍ସା କରିବା ସହ ସୁଷମ ଖାଦ୍ୟ ଦେଇଥିଲେ । ବୃଦ୍ଧାଙ୍କର ମନୋବଳ ବଢ଼ାଇବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ସାଇ ଭାରତ ଓ ଡାକ୍ତର ଶିବା ସୂଚନା ଦେଇଛନ୍ତି । ତାଙ୍କୁ ୫ଦିନ କାଳ ଭେଣ୍ଟିଲେଟର ସହଯୋଗରେ ଚିକିତ୍ସାରେ ରଖାଯିବା ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ଆଉ ଆଜି ସେ ସୁସ୍ଥ ହୋଇ ଘରକୁ ଫେରି ପାରିଛନ୍ତି । ଏଥିଲାଗି ସମ୍‌ କୋଭିଡ୍‌ ହସ୍ପିଟାଲର ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ କ୍ଷୀରୋଦୀ ଓ ତାଙ୍କ ପୁଅ ଖଗେଶ୍ୱର ସାଧୁବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.