୮୦ ବର୍ଷର ବୃଦ୍ଧା ମା’କୁ ଅସହାୟ ଅବସ୍ଥାରେ ଛାଡିଦେଲା ପୁଅ : ନା’ ଗଣ୍ଡେ ଖାଇବାକୁ ମିଳୁଛି, ନା’ ମୁଣ୍ଡ ଗୁଞ୍ଜିବାକୁ ଅଛି ଘର

Published By : Prameya-News7 Bureau | July 01, 2021 IST

ଖଣ୍ଡପଡା ୧।୭: ମାନବିକତାର ସବୁ ସୀମା ଟପିଗଲା ପୁଅ ।  ନିଜ ୮୦ ବର୍ଷର ବୃଦ୍ଧା ମା’କୁ ଘରେ ରଖିବା ତ ଦୂରର କଥା ଖାଇବା ଗଣ୍ଡେ ନ ଦେଇ ଏକ ଭଙ୍ଗା ଘରେ ଅସହାୟ ଅବସ୍ଥାରେ ଛାଡିଦେଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଖଣ୍ଡପଡା ଖଳିସାହି ଗ୍ରାମରେ ।   

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକର ଖଳିସାହି ଗ୍ରାମର ସତ୍ୟଭାମା ଦେବତା । ବୟସ ପ୍ରାୟ ୮୦ ।  ସ୍ଵାମୀ ସନାତନ ବର୍ଷେ ହେବ ଆରପାରିରେ । ସତ୍ୟଭାମାଙ୍କର ୩ ଗୋଟି ପୁଅ ଓ ୨ଟି ଝିଅ ଥିବାବେଳେ ଇତିମଧ୍ୟରେ ୨ଟି ପୁଅଙ୍କ ମୃତ୍ୟୁ ହୋଇସାରିଛି ଏବଂ ଝିଅମାନେ ମଧ୍ୟ ବାହାହୋଇ ଶ୍ବଶୁର ଘରେ ରହୁଛନ୍ତି ।  କହିବାକୁ ଗଲେ ବର୍ତ୍ତମାନ ବଡପୁଅ ଅଭିମନ୍ୟୁ ହେଲେ ସତ୍ୟଭାମାଙ୍କ ସାହା ଭରସା । ଅଭିମନ୍ୟୁ ଜଣେ ଅବସର ପ୍ରାପ୍ତ ଶିକ୍ଷକ । ତେବେ ଅଭିମନ୍ୟୁ ତାଙ୍କ ମା’ଙ୍କୁ ପଚାରୁ ନ ଥିବା ଅଭିଯୋଗ ହୋଇଛି । ଖାଇବାକୁ  ମୁଠେ ନ ଦେବା ସହ ପୁରୁଣା ଭଙ୍ଗା ଘରେ ରଖିଥିବା ଅଭିଯୋଗ କରିଛନ୍ତି ସତ୍ୟଭାମା ।  ଅସହାୟ ଅବସ୍ଥାରେ ଭୋକ ଉପାସରେ ସତ୍ୟଭାମା ରହୁଥିବା ବେଳେ କେତେବେଳେ ସାହି ଲୋକ କିଛି ଦେଲେ ପେଟରେ ଟିକେ ଆହାର ପଡିଥାଏ ।  ଝିଅମାନେ ବିକଳ ହୋଇ ମା’ର ସେବା କରିବା ପାଇଁ ଆସନ୍ତି ହେଲେ ଶ୍ବଶୁର ଘର ଦୂର ଥିବାରୁ ସବୁବେଳେ ଆସିବା ସମ୍ଭବପର ହୋଇ ନଥାଏ ।

ତେବେ ସତ୍ୟଭାମାଙ୍କ ଏପରି ଅବସ୍ଥା ଦେଖି ଗ୍ରାମବାସୀମାନେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହେଲେ । ଖଣ୍ଡପଡା ଥାନା ଏସଡିପିଓ ପ୍ରଭାତ ମଲ୍ଲିକ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ସତ୍ୟଭାମାଙ୍କ ପୁଅ ଅଭିମନ୍ୟୁଙ୍କୁ ଡାକି ତାଗିଦ କରିବା ସହ ମା’ଙ୍କୁ ପାଖରେ ରଖି ଉତ୍ତମ ସେବା ଦେବାପାଇଁ ନିର୍ଦ୍ଦେଶ ଦେଲେ ।    

ସତ୍ୟଭାମା ଙ୍କ ପରି ଆହୁରି ମଧ୍ୟ ବହୁ ଉଦାହରଣ ଅଛି ଯେଉଁଠି ମା ବାପା ବୃଦ୍ଧ ହୋଇଗଲେ ପିଲା ମାନେ ଅଲୋଡା କରି ଦିଅନ୍ତି । ଏପରି ସ୍ଥଳେ ସେହି ପିଲା ମାନଙ୍କୁ କଠୋର ଦଣ୍ଡ ବିଧାନ କରାଗଲେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି ହେବ ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.