ଜଗତସିଂହପୁର ସମୁଦ୍ର କୁଳିଆ ଅଞ୍ଚଳର ପ୍ରାୟ ୮୦ହଜାର ଲୋକଙ୍କୁ କରାଯିବ ସ୍ଥାନାନ୍ତର

Published By : Prameya-News7 Bureau | May 02, 2019 IST

ଜଗତସିଂହପୁର ୨|୫: ଓଡିଶା ମୁହାଁ ସାମୁଦ୍ରିକ ଝଡ ‘ଫନି’ । ଏହା ପୁରୀଠାରୁ ୫୧୦ କିଲୋମିଟର ଦୂରରେ ରହିଛି । ଘଣ୍ଟାକୁ ୭ କିଲୋମିଟର ବେଗରେ ‘ଫନି’ ଓଡିଶା ମୁହାଁ ରହିଛି। ଆସନ୍ତାକାଲି ଅପରାହ୍ନରେ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ବିଶେଷ କରି ପୁରୀ କିମ୍ବା ଜଗତସିଂହପୁର ଉପକୂଳରେ ଏହା ହିଟ୍‌ କରିବାର ସମ୍ଭାବନା ରହିଛି। ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ‘ଫନି’ ହିଟ୍‌ କରିବ ତାହା ଆଜି ସନ୍ଧ୍ୟା ୫ଟା ବେଳେ ସ୍ପଷ୍ଟ ହେବ।

‘ଫନି’ର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ୧୭ଟି ଜିଲ୍ଲାରେ ସରକାର ଆଲର୍ଟ ଜାରି କରିଛନ୍ତି। ସାମୁଦ୍ରିକ ଝଡ ‘ଫନି’କୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତକାଲି ଜଗତସିଂହପୁର ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ଶାଶ୍ବତ ମିଶ୍ର ଜଗତସିଂହପୁରରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ସହ ସ୍ଥିତି ବାବଦରେ ଆଲୋଚନା କରିଛନ୍ତି । ଜିଲ୍ଲାର ସମୁଦ୍ର କୂଳିଆ ଅଞ୍ଚଳରୁ ଆଜି ପ୍ରାୟ ୮୦ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.