୧୨ ସେପ୍ଟେମ୍ବରରୁ ଗଡ଼ିବ ଆଉ ୮୦ ପାସେଞ୍ଜର ଟ୍ରେନ୍, ଜାଣନ୍ତୁ ଯାତ୍ରୀଙ୍କ ପାଇଁ କଣ ରହିଛି ଗାଇଡ୍‌ଲାଇନ୍ ?

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ ୦୫/୦୯: କରୋନା ମହାମାରୀର ପ୍ରକୋପ ଲଗାତର ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏବେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କରୋନା କଟକଣା କୋହଳ କରିଛନ୍ତି । ସେପଟେ କରୋନା କାଳରେ ଭାରତୀୟ ରେଳ ଅନବରତ ସେବା ଯୋଗାଇ ଆସୁଛି । କଟକଣା କୋହଳ ହେବା ପରେ ପୁଣି ୮୦ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ ।

ସେପ୍ଟେମ୍ବର ୧୨ରେ ଏହି ୮୦ ସ୍ବତନ୍ତ୍ର ଟ୍ରେନ୍‌ ଗଡ଼ିବାକୁ ଥିବା ବେଳେ ଏଥିପାଇଁ ଯାତ୍ରୀ ୧୦ ତାରିଖରୁ ବୁକିଂ ଆରମ୍ଭ କରିପାରିବେ। କିନ୍ତୁ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍‌ ମଧ୍ୟ ଚାଲିବ ବୋଲି କହିଛନ୍ତି ରେଲଓ୍ବେ ବୋର୍ଡ ଚେୟାରମ୍ୟାନ୍‌ ବି.କେ ଯାଦବ। ପୂର୍ବରୁ ରେଳ ମନ୍ତ୍ରାଳୟ ଅନେକ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ସମେତ ଆଇଆରସିଟିସିର ସ୍ବତନ୍ତ୍ର ଟ୍ରେନ୍‌ ମଧ୍ୟ ଆରମ୍ଭ କରିଥିଲା ।

କଣ ରହିଛି ଗାଇଡ୍‌ଲାଇନ୍‌ ?
ତେବେ ଏହିସବୁ ଟ୍ରେନ୍‌​‌ରେ ଯାତ୍ରା କରିବାକୁ ହେଲେ କରୋନା ନିୟମ ପାଳନ କରିବାକୁ ହେବ। ଏଥିପାଇଁ ଯାତ୍ରୀ ୯୦ ମିନିଟ୍ ଆଗରୁ ଷ୍ଟେସନରେ ପହଞ୍ଚିବେ। ଷ୍ଟେସନ ପରିସରରେ ଫେସ୍‌‌ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସାମାଜିକ ଦୂରତା ନିୟମ ପାଳନ କରିବା ଜରୁରୀ । ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ହେବାକୁ ଥିବା ବେଳେ ଯେଉଁମାନଙ୍କ ପାଖରେ କରୋନା ଳକ୍ଷଣ ନଥିବ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ।

ଏହାସହ ଯାତ୍ରୀମାନେ ନିଜ ଫୋନରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ୍‌ କରିବା ବାଧ୍ୟତାମୂଳକ। କରୋନା ସଂକ୍ରମଣକୁ ନଜରରେ ରଖି ଏବେ ଯାତ୍ରୀଙ୍କୁ ତକିଆ, କମଳ ଆଦି ରେଳ ବିଭାଗ ଯୋଗାଇବ ନାହିଁ ବୋଲି ମଧ୍ୟ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.