ହାଥରସ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ପରିବାରକୁ କଡ଼ା ସୁରକ୍ଷା : ୮୦ ସିଆରପିଏଫ୍‌ ଯବାନ ମୁତୟନ

Published By : Prameya-News7 Bureau | November 02, 2020 IST

ହାଥରସ, ୦୨।୧୧ : ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କ ପରିବାକୁ କଡ଼ା ସୁରକ୍ଷା ଦିଆଯାଇଛି । କିନ୍ତୁ ଏବେ ଏହି ସୁରକ୍ଷାକୁ ଆହୁରି ବଢାଯିବ । ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୀଡିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ ୮୦ଜଣ ସିଆରପିଏଫ୍‌ ଯବାନ ମୁତୟନ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୀଡ଼ିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ ୮୦ ଜଣ ସିଆର୍‌ପିଏଫ୍‌ ଯବାନ ମୁତୟନ ହୋଇଛନ୍ତି । ଯବାନମାନଙ୍କ ରହଣି ପାଇଁ ପୀଡ଼ିତାଙ୍କ ଗାଁ ରାମପୁରରେ ଥିବା ଏକ ସ୍କୁଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ଉତ୍ତରପ୍ରଦେଶ ପୁଲିସ ସେମାନଙ୍କ ସୁରକ୍ଷାରେ ନିୟୋଜିତ ଥିଲା । ଗତ ଅକ୍ଟୋବର ୨୭ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ଯୋଗାଇ ଦିଆଯାଉଥିବା ସୁରକ୍ଷାର ସମୀକ୍ଷା କରିଥିଲେ ।

ଖଣ୍ଡପୀଠ କହିଥିଲେ, ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ଯୋଗାଉଥିବା ସୁରକ୍ଷା ଆଶ୍ୱସ୍ତିଜନକ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ସିଆର୍‌ପିଏଫ୍‌ ଯବାନଙ୍କ ଦ୍ୱାରା ସୁରକ୍ଷା ଯୋଗାଇ ଦିଆଯିବା ଆବଶ୍ୟକ । ଏଣୁ ଏକ ସପ୍ତାହ ମଧ୍ୟରେ ରାଜ୍ୟ ପୁଲିସ ବଦଳରେ ସିଆର୍‌ପିଏଫ୍‌ ଯବାନଙ୍କୁ ସେଠାରେ ମୁତୟନ କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଗତମାସରେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ୪ ଜଣ ଯୁବକ ମିଶି ଗଣବଳାତ୍କାର କରିବା ସହ ହତ୍ୟା ଉଦ୍ୟମ କରିଥିଲେ । ୧୫ ଦିନର ଚିକିତ୍ସା ପରେ ପୀଡ଼ିତା ଜଣକ ଶେଷରେ ଦିଲ୍ଲୀର ସଫଦରଗଞ୍ଜ ଡାକ୍ତରଖାନାରେ ଆଖି ବୁଜିଥିଲେ । ପରେ ପୁଲିସ ଦ୍ୱାରା ପରିବାର ଲୋକଙ୍କ ବିନା ଅନୁମତିରେ ପୀଡ଼ିତାଙ୍କର ଶବ ସତ୍କାର କରାଯାଇଥିଲା । ଏହି ଘଟଣା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.