କୃଣାଲ ପାଣ୍ଡ୍ୟାଙ୍କ ସମ୍ପର୍କରେ ଆସିଛନ୍ତି ଟିମ୍‌ ଇଣ୍ଡିଆର ୮ ଖେଳାଳି, ଏହି ଦୁଇ କ୍ରିକେଟରଙ୍କୁ ନେଇ ବଢ଼ିଲା ଚିନ୍ତା

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭/୭: ଶ୍ରୀଲଙ୍କା ବିପକ୍ଷରେ ଦ୍ବିତୀୟ ଟି-୨୦ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍‌ର ଷ୍ଟାର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଭାରତ ଏବଂ ଶ୍ରୀଲଙ୍କ ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି। କିନ୍ତୁ ମିଳିଥିବା ଖବର ଅନୁସାରେ କୃଣାଲଙ୍କ ସମ୍ପର୍କରେ ଟିମ୍‌ ଇଣ୍ଡିଆ ଅନେକ ଖେଳାଳି ଆସିଛନ୍ତି।

ପାଣ୍ଡ୍ୟାଙ୍କ ସମ୍ପର୍କରେ ଅତି କମ୍‌ରେ ୮ ଜଣ ଭାରତୀୟ ଖେଳାଳି ଆସିଛନ୍ତି। ତାଙ୍କ ମଧ୍ୟରେ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ବୀ ଶ ମଧ୍ୟ ଅଛନ୍ତି। ଏହି ଦୁଇ ଖେଳାଳି ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଯିବାର ଥିଲା। ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଓପନର ଶୁଭମନ ଗିଲ୍‌, ଆବେଶ ଖାନ ଏବଂ ଓ୍ବାସିଂଟନ ସୁନ୍ଦର ଆହତ ହୋଇ ଦଳରୁ ବାଦ ପଡ଼ିଛନ୍ତି।

ଆଉଟଲୁକ୍‌ର ଏକ ରିପୋର୍ଟ ଅନୁସାରେ, କୃଣାଲ ପାଣ୍ଡ୍ୟାଙ୍କ ସମ୍ପର୍କରେ ୮ ଜଣ ଭାରତୀୟ ଖେଳାଳି ଆସିଥିଲେ। ପୃଥୀ ଶ, ସୂର୍ଯ୍ୟକୁମାର ଯାଦବ ମଧ୍ୟ ତାଙ୍କର ନିକଟତର ହୋଇଥିଲେ। ଯଦି ଏହି ଦୁଇ ଖେଳାଳିଙ୍କ ସାମ୍ପଲ ପଜିଟିଭ୍‌ ଆସିଲା ତେବେ ଟିମ୍‌ ଇଣ୍ଡିଆ ପାଇଁ ଏକ ଶକ୍ତ ଝଟକା ସାବ୍ୟସ୍ତ ହେବ।

କୃଣାଲ ପଜିଟିଭ୍‌ ଚିହ୍ନଟ ହେବା ପରେ ବାକି ଖେଳାଳିଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଟି-୨୦ମ ମ୍ୟାଚ୍‌ ସ୍ଥଗିତ ରଖାଯାଇଛି। ଏହା ପରେ ସମସ୍ତ ଖେଳାଳିଙ୍କ କରୋନା ପରୀକ୍ଷା କରାଯିବ। ଯଦି ଅନ୍ୟ ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ନହୁଅନ୍ତି ତେବେ ସ୍ଥଗିତ ମ୍ୟାଚ୍‌ ବୁଧବାର ହେବ। ଏବେ ସମସ୍ତ ଖେଳାଳି ଆଇସୋଲେସନ୍‌ରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.