ନବୀନଙ୍କ ୫ମ ପାଳିର ମନ୍ତ୍ରିମଣ୍ଡଳରେ ବାଦ୍ ପଡିଲେ ୮ ମନ୍ତ୍ରୀ

Published By : Prameya-News7 Bureau | May 29, 2019 IST

ଭୁବନେଶ୍ବର ୨୯|୫:  ନବୀନଙ୍କ ପଞ୍ଚମ ପାଳିରେ ଆଜି ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ । ଶପଥ ନେବାକୁ ଯାଉଥିବା ମନ୍ତ୍ରିମଣ୍ଡଳରେ ଚତୁର୍ଥ ପାଳିର ଦ୍ବିତୀୟ ପର୍ଯ୍ୟାୟରେ ଥିବା ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ବାଦ୍ ପଡିଛନ୍ତି। ସେମାନେ ହେଲେ ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ଉଷା ଦେବୀ, ଅନନ୍ତ ଦାସ, ଚନ୍ଦ୍ର ସାରଥୀ ବେହେରା, ନୃସିଂହ ଚରଣ ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ।

ପୁରୁଣା ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ବିଜୟଶ୍ରୀ ରାଉତରାୟ ଏଥର ନିର୍ବାଚନ ଲଢି ନ ଥିଲେ। ଆଉ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ରମେଶ ମାଝୀ ଏଥର ସାଂସଦ ଭାବେ ଲଢି ନିର୍ବାଚିତ ହୋଇଛନ୍ତି। ‌ମନ୍ତ୍ରୀ ମହେଶ୍ବର ମହାନ୍ତି ନିଜ ପାରମ୍ପରିକ ଆସନ ପୁରୀରୁ ଏଥର ଲଢି ହାରିଯାଇଛନ୍ତି। ପୁରୁଣା ମନ୍ତ୍ରିମଣ୍ଡଳରୁ ୬ ଜଣଙ୍କୁ ନିଆଯାଇଥିଲା ବେଳେ ୮ ଜଣଙ୍କୁ କାହିଁକି ବାଦ୍ ଦିଆଗଲା, ତାହାକୁ ‌ନେଇ ରାଜନୈତିକ ଆଲୋଚନା ଜୋର୍‌ ଧରିଛି। ବଦ୍ରି ନାରାୟଣ ପାତ୍ରଙ୍କୁ ପୁନର୍ବାର ମନ୍ତ୍ରିମଣ୍ଡଳରେ ସାମିଲ୍ କରିବାକୁ ସୁପ୍ରିମୋ ଚାହିଁ ନ ଥିବା କୁହାଯାଉଛି। ଶଶିଭୂଷଣ ବେହେରାଙ୍କୁ ତାଙ୍କ ପୁରୁଣା ଆସନ ଜୟଦେବ‌େର ଏଥର ଲଢିବାକୁ ସୁଯୋଗ ଦିଆଯାଇ ନ ଥିଲା। ତାଙ୍କୁ କେନ୍ଦ୍ରାପଡାରେ ଟିକେଟ୍‌ ଦିଆଯାଇଥିଲା ଓ ସେ ଜିତିଥିଲେ। କିନ୍ତୁ ତାଙ୍କୁ କିମ୍ବା କେନ୍ଦ୍ରାପଡାରେ କାହାରିକୁ ମନ୍ତ୍ରୀ କରାଯାଇ ନାହିଁ। ଭଣ୍ଡାରୀପୋଖରୀରେ ପ୍ରଫୁଲ୍ଲ ସାମଲ ଏଥର ପିସିସି ସଭାପତିଙ୍କୁ ହରାଇଥିଲେ ବି ମନ୍ତ୍ରୀ ପଦ ଫେରି ପାଇ ନାହାନ୍ତି। ଉଷା ଦେବୀଙ୍କୁ ଅସୁସ୍ଥତା ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନି ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.