ବର୍ଡରରେ ଥରହର୍‌ ହେଉଛନ୍ତି ଆତଙ୍କବାଦୀ, ୨୪ ଘଣ୍ଟାରେ ୮ ଆତଙ୍କୀ ସଫା, ଏନ୍‌କାଉଣ୍ଟର ଜାରି

Published By : Prameya-News7 Bureau | October 12, 2021 IST

ଜାମ୍ମୁ ୧୨/୧୦ : ଜାମ୍ମୁ କାଶ୍ମୀରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ ଜାରି ରହିଛି । ଗତ କିଛି ଦିନ ହେଲା ଲଗାତାର ଭାବେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ମୁହଁତୋଡ୍‌ ଜବାବ ଦେଉଛନ୍ତି ଭାରତୀୟ ସେନା । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଆତଙ୍କବାଦୀଙ୍କୁ ନିପାତ କରିସାରିଲାଣି ଭାରତୀୟ ସେନା । କେବଳ ଆଜି ସକାଳୁ ୫ ଜଣ ଆତଙ୍କୀଙ୍କୁ ସଫା କରିଛି ସେନା ଏବଂ ଗତକାଲି ୩ ଜଣ ନିପାତ ହୋଇଥିଲେ ।

ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ବିହାର ପ୍ରବାସୀ ବୋଲି ଜଣାପଡିଛି । ସେ ଗତ କିଛି ବର୍ଷ ହେଲା ଆତଙ୍କବାଦୀଙ୍କ ସହ ଯୋଗଦେଇଥିଲା । ଫେରିପୋରାରେ ମଙ୍ଗଳବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ ଜାରି ରହିଛି । ସେଠାରେ ସେନା ଗୁଳି​‌ରେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି । ସେଠାରେ ଆତଙ୍କବାଦୀ ଲୁଚିଥିବା ନେଇ ଗତକାଲି ସେନାକୁ ଖବର ମିଳିଥିଲା । ଏହା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା । ତେବେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ ଆରମ୍ଭ କରିଦେଇଥିଲେ । ଗୁଳିମାଡ ବେଳେ ୨ ଜଣ ଆତଙ୍କୀ ସେଠାରେ ଟଳିପଡିଥିଲେ ।

ଘେରାବନ୍ଦୀ କରି ଖୋଜାଖୋଜି କରୁଥିବା ବେଳେ ଆତଙ୍କୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲା ଭାରତୀୟ ସେନା କିନ୍ତୁ ସେମାନେ ତାହା ନକରି ବରଂ ସେନା ଉପରକୁ ପାଲଟା ଗୁଳିଚାଳନା କରିଥିଲେ । ବାଧ୍ୟ ହୋଇ ପାଲଟା ଆକ୍ରମଣ କରିଥିଲା ସେନା । ଯାହାଫଳରେ ୩ ଜଣ ଆତଙ୍କବାଦୀଙ୍କୁ ଘଟଣାସ୍ଥଳରେ ନିପାତ କରାଯାଇଥିଲା । ମୃତ ଆତଙ୍କୀ ମଧ୍ୟରେ ଜଣଙ୍କ ପରିଚୟ ଗାନ୍ଦରବାଲର ମୁଖତାର ଶାହା ବୋଲି ଜଣାପଡିଛି ।

ମୃତକ ଅନ୍ୟ ଆତଙ୍କବାଦୀ ମାନେ ଜୈଶ ସଂଗଠନର ବୋଲି ଜଣାପଡିଛି । କେବଳ ସେତିକି ନୁହେଁ, ମୃତ ଆତଙ୍କବାଦୀ ମୁଖତାର ଶାହା ପୂର୍ବରୁ ମଧ୍ୟ ହତ୍ୟାକାଣ୍ଡରେ ଲିପ୍ତ ଥିଲା । କିଛି ଦିନ ପୂର୍ବରୁ ଶ୍ରୀନଗରରେ ଜଣେ ବିହାରୀ ବ୍ୟକ୍ତିଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ସେ ଶୋପିଆନ୍‌ରେ ଲୁଚିଯାଇଥିଲା । କାଶ୍ମୀର ପୋଲିସ କହିଛି ଯେ, ମୃତକ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଥିବା ବେଳେ ଆଉ ୨ ଜଣଙ୍କ ପରିଚୟ ଖୋଜା ଚାଲିଛି । ଗୁଳିମାଡ ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ ସେଠାରେ ଗୁଳି ବିନିମୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.