ଆଇପିଏଲ୍ ଉପରେ କରୋନା ବାଦଲ, ଏ ଯାଏ ପଜିଟିଭ୍ ଚିହ୍ନଟ ହେଲେଣି ୧୯ ଜଣ, ଆସିଲା ବିସିସିଆଇର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

Published By : Prameya-News7 Bureau | April 03, 2021 IST

ନୂଆଦିଲ୍ଲୀ ୦୩।୦୪: ଦେଶରେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇ ସାରିଛି। ଦିନକୁ ହଜାର  ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଇପିଏଲ୍‌ ଉପରେ ପଡିଛି କରୋନା ଛିଟା। ଓ୍ଵାଙ୍ଖେଡା ଷ୍ଟାଡିୟମର ୧୦ କର୍ମଚାରୀ ଏବଂ ଆୟୋଜକ ଦଳର ୬ ସଦସ୍ୟ ଏହି ଘାତକ ଭାଇରସ୍‌ରେ ପଜିଟିଭ୍ ଚିହ୍ନଟ ହେବା ବିସିସିଆଇକୁ ଶକ୍ତ ଧକ୍କା ଲାଗିଛି। ପ୍ରଥମେ କୋଲକାତା ନାଇଟ୍ ରାଇଡର୍ସର ନୀତିଶ ରାଣା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ଅକ୍ଷର ପଟେଲ୍ ଓ ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ସଦସ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ  ହୋଇଛନ୍ତି। ଏହି ପରି ମୋଟ୍ ୧୯  ଜଣ ମହାମାରୀ କରୋନାରେ ପୀଡିତ।

ମୁମ୍ବାଇରେ କୋଭିଡ୍-୧୯ର ପଜିଟିଭ୍ କେସ୍ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହାର ପ୍ରଭାବ ଓ୍ଵାଙ୍ଖେଡା ଷ୍ଟାଡିୟମର କର୍ମଚାରୀ ଓ ଟୁର୍ଣ୍ଣାମେଣ୍ଟରେ ଜଡିତ ଲୋକଙ୍କଠାରେ ଦେଖିବାକୁ ମିଳିଛି। ତଥାପି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏପ୍ରିଲ ୧୦ରୁ ଏପ୍ରିଲ ୨୫ ମଧ୍ୟରେ ଏହି ସହରରେ ଆଇପିଏଲ୍‌ର ମ୍ୟାଚ୍‌ ଆୟୋଜନ କରିବାର ଆଶା ରଖିଛି। କରୋନା ଭାଇରସ୍‌ର ସ୍ଥିତି ଯଦି ନିୟନ୍ତ୍ରଣ ବାହାରକୁ ଚାଲିଯାଏ ତେବେ ଇନ୍ଦୋର ଓ ହାଇଦ୍ରାବାଦକୁ ଆଇପିଏଲ୍‌ର ଷ୍ଟାଣ୍ଡ ବାଇ ସ୍ଥାନ ଭାବେ ରଖାଯାଇଛି।

ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ଯେ, ମୁମ୍ବାଇରୁ ମ୍ୟାଚ୍‌ ସ୍ଥାନାନ୍ତର କରିବା ଏବେ ବହୁତ ମୁସ୍କିଲ। ଆୟୋଜକ ସଦସ୍ୟଙ୍କୁ ସ୍ଵତନ୍ତ୍ର ଜୈବ ନିରାପତ୍ତା ବଳୟରେ ରଖାଯାଇଛି। ଖେଳାଳିଙ୍କୁ ମଧ୍ୟ କଡା ବାୟୋ ବବଲ୍‌ରେ ରଖାଯାଇଛି। ହେଲେ ବିସିସିଆଇ ହାଇଦ୍ରାବାଦକୁ ଆଇପିଏଲ୍‌ର ଷ୍ଟାଣ୍ଡ ବାଇ ସ୍ଥାନ ଭାବେ ରଖିଥିବା ବରିଷ୍ଠ ଅଧିକାରୀ କହିଛନ୍ତି।

ମୁମ୍ଵାଇରେ ଏହି ଧନାଢ୍ୟ ଲିଗ୍‌ର ୧୦ ମ୍ୟାଚ୍‌ ଆୟୋଜନ କରାଯିବାର ଅଛି। ମହାରାଷ୍ଟ୍ରରେ ଶୁକ୍ରବାର ୪୭୦୦୦ କେସ୍ ଚିହ୍ନଟ ହୋଇଛନ୍ତି। ଫଳରେ ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ପରି ସ୍ଥିତି ଉତ୍ପନ ହୋଇଛି। ଷ୍ଟାଡିୟମର ଚିହ୍ନଟ ୧୦ କର୍ମଚାରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ମ୍ୟାଚ୍‌ର ପ୍ରସ୍ତୁତି ପାଇଁ ମୁମ୍ବାଇ କ୍ରିକେଟ୍ ସଂଘର ଅନ୍ୟ ପଡିଆକର୍ମୀଙ୍କୁ ଅଣାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.