ଗରିଲା ମଧ୍ୟ କୋଭିଡ୍ରୁ ବର୍ତ୍ତିଲେନି, ଠିକ୍ ମଣିଷଙ୍କ ଭଳି ରୋଗର ସବୁ ଲକ୍ଷଣ, କାଶୁଛନ୍ତି ଛାତିରେ ହେଉଛି ଯନ୍ତ୍ରଣା
12/01/2021 at 5:53 PM

ନୂଆଦିଲ୍ଲୀ ୧୨।୦୧: ସମଗ୍ର ବିଶ୍ଵରେ କରୋନା ମହାମାରୀର ପ୍ରାଦୁର୍ଭାବ ପରେ ଏବେ ଟିକାକରଣ ନେଇ ଅନେକ ଦେଶରେ ଜୋରଦାର ପ୍ରସ୍ତୁତି ଚାଲିଛି। ଅନ୍ୟପଟେ ବ୍ରିଟେନ୍ରେ କରୋନାର ନୂତନ ଷ୍ଟ୍ରେନ୍ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହା ମଧ୍ୟରେ ଆମେରିକାର ସାନ ଡିଏଗୋ ଜୁ ସଫାରି ପାର୍କରେ ଆଠ ଗରିଲା କୋଭିଡ୍-୧୯ ଚିହ୍ନଟ ହୋଇଥିବା ଜଣା ପଡିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ କାଶ ହେଉଥିବା ଦେଖିବାକୁ ମିଳିଛି। ମଣିଷଙ୍କଠାରେ ଯେଉଁ ଲକ୍ଷଣ ଦେଖିବାକୁ ମିଳିଛି ତାହା ଗରିଲାଙ୍କଠାରେ ଦେଖିବାକୁ ମିଳିଛି।
ପାର୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ଲିଜା ପିଟରସନ ସୋମବାର କହିଛନ୍ତି, ପାର୍କରେ ଏକ ସଙ୍ଗେ ରହୁଥିବା ଆଠ ଗରିଲାଙ୍କଠାରେ ସଂକ୍ରମଣ ଚିହ୍ନଟ ହୋଇଛି। ଅନେକ କାଶରେ ପୀଡିତ ଅଛନ୍ତି। ଲାଗୁଛି ପାର୍କରେ ଜୀବଜନ୍ତୁଙ୍କ ରକ୍ଷଣାବେକ୍ଷଣ କରୁଥିବା ଟିମ୍ର ଜଣେ ସଦସ୍ୟଙ୍କଠୁ କରୋନା ସଂକ୍ରମଣ ପଶୁଙ୍କଠାରେ ବ୍ୟାପିଛି। ବିଶ୍ଵରେ ପ୍ରଥମ ଥର ଗରିଲା କରୋନା ସଂକ୍ରମିତ ହୋଇଛନ୍ତି। କର୍ମଚାରୀଙ୍କ ସଂକ୍ରମଣ ହୋଇଥିବା ଜଣା ପଡିଥିଲା, ହେଲେ ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ସେ ଗରିଲାଙ୍କ ଆଖପାଖ ଦେଇ ଯିବା ଆସିବା କରିବା ସମୟରେ ସବୁ ବେଳେ ମାସ୍କ ପିନ୍ଧୁଥିଲେ।

ଏହି ପାର୍କ କାର୍ଲିଫର୍ଣ୍ଣିଆର କରୋନା ଯୋଗୁଁ ଲାଗୁ ଲକ୍ଡାଉନ୍ କାରଣରୁ ଡିସେମ୍ବର ୬ରୁ ବନ୍ଦ ରହିଛି। ପିଟରସନଙ୍କ ମୁତାବକ ପଶୁ ଚିକିତ୍ସକ ଗରିଲାଙ୍କ ଉପରେ ନଜର ରଖିଛନ୍ତି। ପାର୍କରେ ସେମାନଙ୍କୁ ସଙ୍ଗରୋଧ କରି ରଖାଯାଇଛି। ଏହି ସମୟରେ ସେମାନଙ୍କୁ ଭିଟାମିନ, ତରଳ ପଦାର୍ଥ ଓ ଖାଦ୍ୟ ପଦାର୍ଥ ଦିଆଯାଉଛି। କିନ୍ତୁ କୌଣସି ସ୍ଵତନ୍ତ୍ର ଉପଚାର କରାଯାଉ ନାହିଁ। ଗରିଲାଙ୍କୁ କେବଳ ଛାତିରେ ଯନ୍ତ୍ରଣା ଏବଂ କାଶ ହେଉଥିବା ପିଟରସନ କହିଛନ୍ତି। ମଣିଷଙ୍କଠାରେ ଯେଉଁ ଲକ୍ଷଣ ଦେଖିବାକୁ ମିଳେ ସେହି ଲକ୍ଷଣ ଗରିଲାଙ୍କଠାରେ ଦେଖିବାକୁ ମିଳିଥିବା ସେ କହିଛନ୍ତି।
ପାର୍କର ସମସ୍ତ କର୍ମଚାରୀ ଗରିଲାଙ୍କ ନିକଟରେ ଥିବା ବେଳେ ଆବଶ୍ୟକ ସୁରକ୍ଷା ଉପକରଣ ପିନ୍ଧିବାକୁ କୁହାଯାଇଛି। ହେଲେ ପାର୍କରେ ଏ ପର୍ଯ୍ୟନ୍ତ ଅନ୍ୟ କାହାଠାରେ କରୋନା ପଜିଟିଭ୍ ହୋଇଥିବା ଜଣାପଡି ନାହିଁ। ଚିଡିଆଘରର କର୍ମଚାରୀ କହିଛନ୍ତି, ସେମାନେ କୋଭିଡ୍-୧୯ର ଚିକିତ୍ସା କରୁଥିବା ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛନ୍ତି। ଯଦି ଗରିଲାଙ୍କଠାରେ ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳେ ତେବେ ଆବଶ୍ୟକ ମୁତାବକ ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି।