Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସତ୍ୟବାଦୀରେ ୮ ଜଣଙ୍କ ପ୍ରାଣ ନେଇଛି ଫୋନି, ୩୦ବର୍ଷର ପୁଅକୁ ହରାଇ ଅସହାୟ ପରିବାର

7/05/2019 at 11:26 AM

ଭୁବନେଶ୍ବର ୭|୫: ବାତ୍ୟା ଫୋନିରେ ୪୦ରୁ ଅଧିକ ଜଣଙ୍କ ଜୀବନ ଗଲାଣି । କେବଳ ପୁରୀ ଜିଲ୍ଲା ସତ୍ୟବାଦୀରେ ୮ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିବାରର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ । ହିରଣ୍ୟପଡା ଗାଁରେ ୩୦ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ଅନାଥ ହୋଇ ଯାଇଛି ପରିବାର ।

କାନ୍ଦି କାନ୍ଦି ଉଚ୍ଛନ କାବେରୀ । ସେବେଠୁ କାନ୍ଦୁଛି ଯେ କାନ୍ଦୁଛି, ଲୁହ ଶୁଖୁନି । ବାତ୍ୟା ଫୋନି ଛଡ଼ାଇ ନେଇଛି ପୁରୀ ଜିଲ୍ଲା ସତ୍ୟବାଦୀ ହିରଣ୍ୟପଡ଼ା ଗାଁର କାବେରୀ ବରାଳଙ୍କ ସବୁକିଛି । ବାତ୍ୟା ଫୋନିରେ ପ୍ରଥମ ଜୀବନ ହରାଇଥିଲେ କାବେରୀଙ୍କ ସ୍ବାମୀ ମନୋରଂଜନ ବରାଳ । ୩୦ ବର୍ଷର ଯୁବକ ମନୋରଂଜନ । ନଡ଼ିଆ ଗଛ ଓ ବିଦ୍ୟୁତ ଖୁଣ୍ଟ ତଳେ ଫଶିଯାଇ ଜୀବନ ହାରିଛନ୍ତି । ସେ ତ ଚାଲିଗଲେ, ହେଲେ ବିଧବା ମା, ପତ୍ନୀଙ୍କୁ ଦୁଃଖରେ ଭସାଇ ଦେଇଗଲେ । ୨ କୁନି ଝିଅଙ୍କୁ ଅନାଥ କରି ଦେଇଗଲେ । ଘର ଏକ ମାତ୍ର ଭେଣ୍ଡିଆ ପୁଅର ମୃତ୍ୟୁ ପରେ ପୂରା ବେସାହାରା ଏମାନେ ।

୩ ଦିନ ହେଲା ଏହି ପରିବାର ପେଟରେ ଦାନାଟେ ପଡି ନାହିଁ । ଏହି ଗାଁର ଅଧିକାଂଶଙ୍କ ଅବସ୍ଥା ଏୟା । ବାତ୍ୟା ଫୋନିରେ କେବଳ ସତ୍ୟବାଦୀରେ ୮ ଜଣଙ୍କ ଜୀବନ ଯାଇଛି । ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଘର ଭାଂଗିଯାଇଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ । କ୍ଷେତ, ବାଡି ସବୁ ଉଜୁଡି ଯାଇଛି । ବିଦ୍ୟୁତ, ପାଣି ସାତସପନ । ରାସ୍ତା ଘାଟରୁ ଗଛ ଏଯାଏଁ ଉଠାଯାଇ ପାରିନାହିଁ ।

ପ୍ରଶାସନିକ ଅଧିକାରୀ କେଉଁଠି ପହଞ୍ଚୁଛନ୍ତି, କେଉଁଠି ପହଞ୍ଚି ପାରୁନାହାନ୍ତି, ତାହା କେବଳ ସେମାନଙ୍କୁ ହିଁ ଜଣା । ଲୋକଙ୍କ ଭିତରେ ଏଠି କ୍ରୋଧ ବି ବଢିବାରେ ଲାଗିଲାଣି । ପୁରୀ ଜିଲ୍ଲାପାଳ କହିଛନ୍ତି ସ୍ଥିତି ସୁଧାରିବା ଲାଗି ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି।

ପୁରୀ ଜିଲ୍ଲା ଧ୍ବଂସସ୍ତୁପରେ ପରିଣତ ହୋଇଛି । ଏପର୍ଯ୍ୟନ୍ତ ପୁରୀରେ ହିଁ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅନେକ ସ୍ଥାନକୁ ଯୋଗାଯୋଗ ଏପର୍ଯ୍ୟନ୍ତ ହୋଇନଥିବାରୁ ବାତ୍ୟାର ପ୍ରକୃତ ତଥ୍ୟ ଏଯାଏଁ ବି ମିଳିପାରିନାହିଁ।

ଦିନକୁ ଦିନ ପୁରୀବାସୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଶ୍ରୀଜଗନ୍ନାଥଙ୍କ ଭରସା କରି ପୀଢିପରେ ପୀଢ଼ି ରହିଆସିଥିବା ପୁରୀବାସୀ ଏବେବି ଭରସା ରଖିଛନ୍ତି ସବୁକିଛି ଉଜୁଡିଯିବା ପୂର୍ବରୁ ପୁଣି ରକ୍ଷା କରିବେ ଚକ୍ରଧାରୀ ।

   Related Posts