ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷତି ଘଟାଇଛି 'ତିତଲି' : ୮ମୃତ, ୩ଟି ଜିଲ୍ଲା ଧ୍ବସ୍ତବିଧ୍ବସ୍ତ, ଯୋଗାଯୋଗ ଠପ୍, ବିଜୁଳି ସରବରାହ ବ୍ୟାହତ, ଲୋକଙ୍କ ଘରେ ପଶିଲା ସମୁଦ୍ର ପାଣି

Published By : Prameya-News7 Bureau | October 11, 2018 IST

ଶ୍ରୀକାକୁଲମ୍ ୧୧|୧୦: 'ତିତଲି' ପ୍ରଭାବରେ ଓଡିଶା ଅପେକ୍ଷା ଆନ୍ଧ୍ରପ୍ରଦେଶ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି । ମୁଖ୍ୟତଃ ଉତ୍ତର ଆନ୍ଧ୍ରପ୍ରଦେଶ ୩ଟି ଉପକୂଳ ଜିଲ୍ଲା ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟନମ୍ କ୍ଷତିଗ୍ରସ୍ତ ହୋଇଛି । ହଜାର ହଜାର ବିଜୁଳି ଖୁଣ୍ଟ ଉପୁଡି ପଡିଥିବାବେଳେ ବଡବଡ ଗଛ ଭାଙ୍ଗି ରାସ୍ତାରେ ପଡିଛି । ଫଳରେ ଗମନାଗମନ ଏକପ୍ରକାର ଠପ୍ ହୋଇଯାଇଛି । ଏହି ୩ଟି ଜିଲ୍ଲାରେ ୬୦୦୦ରୁ ୭୦୦ ବିଜୁଳିଖୁଣ୍ଟ ଉପୁଡିପଡିଥିବାରୁ ପାଖାପାଖି ୫ଲକ୍ଷ ଲୋକ ଏବେ ଅନ୍ଧାରରେ ରହିଛନ୍ତି । ସୂଚନାଯୋଗ୍ୟ ଯେ, ତିତଲି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ପଲାସା ନିକଟରେ ଲ୍ୟାଣ୍ଡଫଲ କରିଥିଲା ବା ସ୍ଥଳଭାଗ ଛୁଇଁଥିଲା । ତିତଲି ଲ୍ୟାଣ୍ଡଫଲ କଲାବେଳେ ପବନର ଗତି ୧୬୫କିମି ଥିଲା । ବାତ୍ୟା ତିତଲି ପ୍ରଭାବରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଉପାଡା ଗାଁରେ ସମୁଦ୍ର ପାଣି ଘରେ ପଶିଥିବା ଖବରମିଳିଛି । ବାତ୍ୟା ଲ୍ୟାଣ୍ଡଫଲ କଲାବେଳେ ସମୁଦ୍ରରେ ୧୦ମିଟରରୁ ଅଧିକ ଉଚ୍ଚର ଜୁଆର ଆସିବା ଫଳରେ ଏଭଳି ପରିସ୍ଥିତି ଉପୁଜିଥିଲା । ସେହିଭଳି ବାତ୍ୟା ତିତଲି ପଲାସା ପୌରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ରାସ୍ତାଘାଟରେ ଗଛ ପଡିବା ସାଙ୍ଗକୁ ବିଜୁଳି ଖୁଣ୍ଟି ଉପୁଡିଯାଇଥିବାରୁ ବିଜୁଳି ସରବରାହ ବ୍ୟାହତ ହୋଇଛି । ଫଳରେ ସାଧାରଣ ଜୀବନଯାପନ ଠପ୍ ହୋଇଯାଇଛି । ସେହିଭଳି ଉଦନମ ମଣ୍ଡଳରେ ମଧ୍ୟ ପରିସ୍ଥିତି ସଙ୍ଗୀନ ହୋଇଛି । ଆନ୍ଧ୍ରପ୍ରଦେଶର ଉପରୋକ୍ତ ଜିଲ୍ଲା ଗୁଡିକରେ ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହୋଇଛି । ବିଶେଷକରି କାଜୁ, ନଡିଆଗଛ ସବି ଉପୁଡିଯିବା ଫଳରେ ଚାଷୀ ହତାସ ହୋଇପଡିଛନ୍ତି । ସେହିଭଳି ଧାନ ଫସଲ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ହାଓ୍ବଡାରୁ ଦକ୍ଷିଣକୁ ଯାତାୟତ କରୁଥିବା ରେଳ ସେବା ବ୍ୟାହତ ହୋଇଛି । ସତର୍କତାମୂଳକ ପଦକ୍ଷେପ ହିସାବରେ ଏହି ରାସ୍ତାରେ ଟ୍ରେନ ଚଳାଚଳକୁ ଦକ୍ଷିଣ-ପୂର୍ବ ରେଳପଥ ବନ୍ଦ କରିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.