୨୪ ଘଣ୍ଟାରେ ବାହାରିଲେ ୪୮ କରୋନା ପଜିଟିଭ୍‌, ୮ ସହରରେ ଲାଗିଲା କର୍ଫ୍ୟୁ

Published By : Prameya-News7 Bureau | December 06, 2021 IST

ଅହମ୍ମଦାବାଦ, ୦୬।୧୨: ଗୁଜୁରାଟରେ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନର ପ୍ରଭାବ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଗୁଜୁରାଟ ସରକାର କଟକଣା ଲାଗୁ କରିବା ଆରମ୍ଭ କରିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଅହମ୍ମଦାବାଦ, ରାଜକୋଟ, ସୁରଟ, ଭଦୋଦରା, ଜାମନଗର, ଭବନଗର, ଗାନ୍ଧିନଗର ଏବଂ ଜୁନାଗଡ ଭଳି ୮ଟି ବଡ ସହରରେ ବର୍ତ୍ତମାନ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି ।

ଅନ୍ୟପଟେ, ଯେଉଁ ସ୍ଥାନରୁ ଓମିକ୍ରନର ଲକ୍ଷଣ ଥିବା ରୋଗୀମାନେ ଚିହ୍ନଟ ହୋଇଛନ୍ତି, ସେହି ସ୍ଥାନଗୁଡ଼ିକୁ ମାଇକ୍ରୋ-କଣ୍ଟେନ୍‌ମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ନିକଟରେ ଏକ ସରକାରୀ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ବଡ଼ ସହରରେ ରାତ୍ରି କର୍ଫ୍ୟୁକୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ କହିଛନ୍ତି ଯେ, ଆମ ରାଜ୍ୟରେ କରୋନାଭାଇରସ୍, ଓମିକ୍ରନ୍ର ମୁକାବିଲା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉଛି। ରବିବାର ଦିନ ସେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ଏବଂ ରାଜ୍ୟବାସୀଙ୍କୁ ଆଶ୍ୱସନା ଦେଇ ସେ କହିଛନ୍ତି, 'ଆମେ ମଧ୍ୟ କରୋନାଭାଇରସର ନୂଆ ଭାରିଆଣ୍ଟକୁ ପରାସ୍ତ କରିବୁ।

ରାଜ୍ୟରେ ପ୍ରତ୍ୟକଦିନ ବାହାରୁଥିବା କୋଭିଡ -୧୯ ମାମଲା ବର୍ତ୍ତମାନ ଦେଶରେ ସର୍ବନିମ୍ନ। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ରବିବାର ଦିନ ଗୁଜୁରାଟରେ କରୋନାଭାଇରସର ୪୮ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ସମୁଦାୟ ସଂକ୍ରମଣର ସଂଖ୍ୟା ୮,୨୭,୭୦୭କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା ୧୦,୦୯୫କୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.