କରୋନାର ବିଭିଷିକା, ଶବଦାହ ଗୃହରେ ନାହିଁ ଜାଗା ! ଗୋଟିଏ ଜୁଇରେ ଜଳିଲା ୮ କୋଭିଡ୍‌ ମୃତକଙ୍କ ଶବ

Published By : Prameya-News7 Bureau | April 07, 2021 IST

ମୁମ୍ବାଇ ୭/୪:  ମହାରାଷ୍ଟ୍ରରେ କରୋନା ମହାମାରୀ ମାଡ଼ି ଚାଲିଥିବା ବେଳେ ଏକ ଅତି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସୂଚନା ମିଳିଛି। ଶବଦାହ ପାଇଁ ସ୍ଥାନ କମ ପଡ଼ୁଥିବା ବେଳେ ବିଡ୍‌ ଜିଲ୍ଲାର  ୮ ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ଜୁଇରେ ସଂସ୍କାର କରାଯାଇଥିବା ଜଣାପଡ଼ିଛି। ଏକ ଅସ୍ଥାୟୀ ଶବଦାହ ଗୃହରେ ସ୍ଥାନ କମ ହେବାରୁ ଏମିତି କରାଯାଇଛି ବୋଲି କୁହାଯାଉଛି।

ଅମ୍ବାଜୋଗଇ ନଗରରେ ଥିବା ଶବଦାହ ଗୃହରେ କରୋନାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ମୃତଦେହ ଦାହ କରିବାର ଥିଲା । କିନ୍ତୁ ସ୍ଥାନୀୟ ଲୋକେ ପ୍ରତିବାଦ କରିବାକୁ ଶବ ସଂସ୍କାର ପାଇଁ ଅନ୍ୟ ସ୍ଥାନ ଖୋଜିବାକୁ ପଡ଼ିଥିଲା ଏବଂ ସେଠାରେ  ଜାଗା କମ ପଡ଼ିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।  ମୃତକଙ୍କ ଶବଦାହ କରିବାକୁ ସ୍ଥାନୀୟ ଲୋକେ ମନା କରିବା ପରେ ନଗରରୁ ଦୁଇ କିଲୋମିଟର ଦୂରରେ ଥିବା ଏକ ଅସ୍ଥାୟୀ ଗୃହରେ  ଶବ ସତ୍କାର କରାଯାଇଛି ବୋଲି ଅମ୍ବାଜୋଗଇ ନଗର ପରିଷଦ ମୁଖ୍ୟ ଅଶୋକ ସାବଲେ କହିଛନ୍ତି।

ସେଠାରେ ଏକ ବଡ଼ ଜୁଇ ଜଳାଇ ୮ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି। ଏହା ଏକ ବଡ଼ ଜୁଇ ଥିବା ବେଳେ ପ୍ରତ୍ୟେକ ମୃତଦେହକୁ ନିର୍ଦ୍ଧିଷ୍ଟ ବ୍ୟବଧାନରେ ରଖାଯାଇଥିଲା ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି, ଲଗାତାର କରୋନା ସଂକ୍ରମଣ ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଉଛି। ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଥିବାରୁ ଅସ୍ଥାୟୀ ଶବଦାହ ଗୃହ ତିଆରି କରିବା ସହ ମୌସୁମୀ ଆସିବା ପୂର୍ବରୁ ବର୍ଷା ଜଳରୁ ରକ୍ଷା କରିବାକୁ ବ୍ୟବସ୍ଥା କରାଯିବାକୁ ନେଇ ଯୋଜନା କରାଯାଉଛି। ବିଡ୍‌ ଜିଲ୍ଲାରେ ମଙ୍ଗଳବାର ଦିନ ୭୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଏବେ ସୁଦ୍ଧା ୬୭୨ ଜଣଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.